୧୫୦ ବର୍ଷ ତଳର ମାଲଗୋଦାମ କଟକରୁ ଉଠିଯିବ । ଏ କଥାର ନିଷ୍ପତ୍ତି କଟକର ବ୍ୟବସାୟୀ ସଂଘ ନେଇଛନ୍ତି । ସୂଚନା ଅନୁସାରେ , ନଅଙ୍କ ଦୁର୍ଭିକ୍ଷ ପରେ କଟକରେ ୧୫୦ ବର୍ଷ ତଳେ ଗଢାଯାଇଥିବା ମାଲଗୋଦାମ ଏବେ ଉଠିଯିବ ।
ଫୁଲନଖରାରୁ ମଙ୍ଗୁଳି ଭିତର ଜାତୀୟ ରାଜପଥ ପାର୍ଶ୍ଵକୁ ସ୍ଥାନାନ୍ତର କରିବାକୁ ବ୍ୟବସାୟୀ ସଂଘ ଏଭଳି ଏକ ନିଷ୍ପତ୍ତି ନେଇଛି । ନୂଆ ମାଲଗୋଦାମ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଥିବା ବେଳେ ଏ ନେଇ ସରକାରଙ୍କୁ ଖୁବ୍ ଶୀଘ୍ର ଏକ ପ୍ରସ୍ତାବ ଦିଆଯିବ । ପ୍ରାୟେ ୬୦ ଏକର ଜମିରେ ଏହି ମାଲଗୋଦାମଟି ତିଆରି ହୋଇଥିଲା । ପ୍ରଥମେ ଆରମ୍ଭରୁ ଏଠାରେ ୫ଟି ଗୋଦାମ ଓ ୧୫ଟି ଦୋକାନ ଥିଲା । ଏବେ ଏଠାରେ ଗୋଦାମ ଓ ଖୁଚୁରା ଦୋକାନକୁ ମିଶାଇ ପ୍ରାୟ ୭୮୦ ରେ ପହଞ୍ଚିଲାଣି । ଦିନକୁ ପ୍ରାୟ ୨୦ କୋଟି ଟଙ୍କାର କାରବାର ଓ ଲୋକଙ୍କୁ ମିଶାଇ ଦୈନିକ ପ୍ରାୟ ୪ ହଜାର ଲୋକଙ୍କ ଚଳପ୍ରଚଳ ହେଉଛି । ବାହାର ରାଜ୍ୟରୁ ଦୈନିକ ଏହି ମାଲଗୋଦାମକୁ ୫୦ରୁ ୬୦ ଟ୍ରକ୍ ମାଲ୍ ନେଇ ଆସୁଛି । ସେହିଭଳି ଓଡ଼ିଶାରୁ ପ୍ରାୟ ୧୫୦ ଗାଡ଼ି ମାଲଗୋଦାମକୁ ଯା'ଆସ କରୁଛି । ଗୋଟିଏ ସ୍ଥାନରେ କାଉଣ୍ଟର୍ ହେଉଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ଗୋଦାମ ରହୁଛି । ରାଜ୍ୟ ବାହାରୁ କିମ୍ବା ଭିତରୁ ଆସୁଥିବା ଗାଡ଼ିଗୁଡ଼ିକ ସିଧାସଳଖ ଗୋଦାମ ନିକଟକୁ ଯାଇପାରୁନାହିଁ । ସେଥିପାଇଁ ଗଳିକନ୍ଦି ରାସ୍ତାରେ ଯିବାଆସିବା କରିବାକୁ ପଡୁଛି । କିନ୍ତୁ ଏହି ଗଳିକନ୍ଦି ରାସ୍ତାରେ ଟ୍ରଲି ଯିବା ବି କଷ୍ଟକର ହେଇପଡୁଛି ।
ଏଭଳି ପରିସ୍ଥିତିରେ ପାକିଂ ସ୍ଥାନରୁ ଟ୍ରଲିରେ ଭିନ୍ନ ଭିନ୍ନ ଗୋଦାମକୁ ମାଲ୍ ସ୍ଥାନାନ୍ତର କରିବାକୁ ପଡୁଛି । ଏଭଳି ଅନେକ ସମସ୍ୟା ଏଠାରେ ଦେଖା ଦେଉଛି । ଏବଂ ଜଳବନ୍ଦି ଯୋଗୁଁ ୮ରୁ ୧୦ ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଛି । ବାରମ୍ବାର ବଣିକ ସଂଘ ଏ ସମ୍ପର୍କରେ ସିଏମ୍କୁ ଅବଗତ କରିଛନ୍ତି । ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ସେଥିପାଇଁ ବଣିକ ସଂଘ ଏଭଳି ଏକ ନିଷ୍ପତି ନେଇଛନ୍ତି ।
ଆଗକୁ ପଢନ୍ତୁ :- ରାଜ୍ୟରେ ସ୍ଥଗିତ ହେଲା ବସ୍ ଧର୍ମଘଟ, ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ