ପୃଥିବୀରେ ଇଣ୍ଡିଆନ୍ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ । ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା ମାତ୍ର ୪ହଜାର ଥିବା କୁହାଯାଉଛି। ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍ କଞ୍ଜରବେଶନ ଅଫ୍ ନେଚର ଅନୁସାରେ ଏହି ପକ୍ଷୀବଂଶ ଏବେ ସଙ୍କଟ ତାଲିକାରେ ଅଛନ୍ତି । ଏଭଳି ସ୍ଥିତିରେ କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କଖଡ଼ି ଗ୍ରାମ ନିକଟ ମହାନଦୀ ଅବବାହିକାର ବିସ୍ତୃତ ବାଲୁକା ଶଯ୍ୟାରେ ଇଣ୍ଡିଆନ ସ୍କିମର ପକ୍ଷୀର ପ୍ରଥମଥର ପାଇଁ ଆସ୍ଥାନ ଦେଖିବାକୁ ମିଳିଛି । ଏହି ନଦୀଶଯ୍ୟା ଏକ ପ୍ରକୋଷ୍ଠ ଅଣ୍ଡାଦେବା ସ୍ଥାନ ବୋଲି ମନେକରି ଏମାନଙ୍କ ମଧ୍ୟରୁ ୮୨ଟି ଅଣ୍ଡା ଦେଇଥିବା ଓ ୩୫ଟି ଛୁଆ ହୋଇଥିବା ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ କହିଛନ୍ତି । ଆଗକୁ ଆହୁର ଅଧିକ ଛୁଆ ସୃଷ୍ଟି ହେବେକୁ ଥିବାରୁ । ଅଣ୍ଡା ଓ ଛୁଆର ସୁରକ୍ଷା ପାଇଁ ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହିତ ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବିମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି ।
ସମଗ୍ର ବିଶ୍ୱରେ ବିଲୁପ୍ତପ୍ରାୟ ପାଣିଚିରିଙ୍କ ସଂଖ୍ୟା ୪ହଜାର ହୋଇଥିବା ବେଳେ ଆଠଗଡ ଅଞ୍ଚଳର ମହାନଦୀ ପଠାରେ ଦୀର୍ଘବର୍ଷ ଧରି ଅଣ୍ଡାଦେବା ଓ ସେଥିରୁ ଛୁଆ ଫୁଟାଇବା ଅନୁକୂଳ ପରିବେଶକୁ ସୁହାଉଛି । ବନାଞ୍ଚଳ ଅଧିକାରୀଙ୍କ କହିବା ମୁତାବକ ଡିସେମ୍ବର ଶେଷ ଓ ଜାନୁଆରୀ ପ୍ରଥମ ସପ୍ତାହରେ ପାଣିଚିରି କଖଡିର ମହାନଦୀ ପଠାକୁ ଆସିଥାନ୍ତି । ଏମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଏବେଠାରୁ ବନବିଭାଗ ଉଦ୍ୟମ ଆରମ୍ଭ କଲେ ଖୁଣ୍ଟୁଣୀ ବନାଞ୍ଚଳ ଭବିଷ୍ୟତରେ ଭାରତର ଏକ ଇଣ୍ଡିଆନ ସ୍କିମର ହବ୍ ପାଲଟିବ ବୋଲି ପକ୍ଷୀ ବିଶାରଦମାନେ ଆଶା କରିଛନ୍ତି । ଏହି ପକ୍ଷୀ ଅଣ୍ଡା ଦେବା କିମ୍ବା ପ୍ରଜନନବେଳେ ଯେପରି କୌଣସି କୁକୁର, ବିଲୁଆ କିମ୍ବା ଅନ୍ୟ କୌଣସି ପଶୁପକ୍ଷୀଙ୍କ ଶିକାର ନ ହୁଅନ୍ତି ସେଥିପାଇଁ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ବନ କର୍ମଚାରୀଙ୍କୁ ଦିନରାତି ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ।
ଅଧିକ ପଢନ୍ତୁ : ଦୁଇ ଦିନ ସମୁଦ୍ର ନଯିବାକୁ IMDର ପରାମର୍ଶ