ପ୍ରସିଦ୍ଧ ତଥା ପ୍ରାଚୀନ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଠାକୁରାଣୀଙ୍କ ଚନ୍ଦନ ଯାତ୍ରା ପାଇଁ ଚନ୍ଦନ ପୋଖରୀ ସହ ଚାପ ଖେଳରେ ବ୍ୟବହୃତ ଡଙ୍ଗାର ନବକଳେବର କରାଯାଇଛି । ଆସନ୍ତା ପବିତ୍ର ଅକ୍ଷୟ ତୃତୀୟା ୧୦ ତାରିଖରେ ଆରମ୍ଭ ହେଉଛି ଚନ୍ଦନ ଯାତ୍ରା । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଣେ ଦୀର୍ଘ ବର୍ଷ ପରେ ମା’ଙ୍କ ଚାପ ଖେଳରେ ବ୍ୟବହୃତ ଡଙ୍ଗାର ନବ କଳେବର କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।
ମା’ଙ୍କ ଚାପଖେଳ ପାଇଁ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ନୂଆ ଡଙ୍ଗା । ୧୧ ମିଟର ଲମ୍ବ ଓ ପ୍ରାୟ ୪ ମିଟର ପ୍ରସ୍ତର ଏହି ସୁସଜିତ ଡଙ୍ଗାକୁ ବନ୍ଦର ନଗରୀ ପାରାଦୀପରେ କୁଶଳୀ କାରିଗରମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ପାରାଦୀପଗଡରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଏହି ଡଙ୍ଗାକୁ କନକପୁର ପର୍ଯ୍ୟନ୍ତ ଅଣାଯାଇଥିଲା । ପଥପ୍ରାନ୍ତରେ ଶ୍ରଦ୍ଧାଳୁମାନେ ଏହି ଡଙ୍ଗାକୁ ଭକ୍ତି ସହକାରେ ବନ୍ଦାପନା କରିଥିଲେ । ରବିବାର ରାତି ୮ ଟା ବେଳେ ଶାରଳାପୀଠରେ ଡଙ୍ଗା ପହଞ୍ଚିବା ପରେ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ମନ୍ଦିର ପ୍ରଶାସନ, ଭକ୍ତମାନେ ପାଛୋଟି ନେଇଥିଲେ । ଭାବ ଗଦ୍ଗଦ୍ ହୋଇ ପଡ଼ିଥିଲା କନକପୁର ରାଜଦାଣ୍ଡ ।
ପ୍ରାୟ ୩୦ରୁ ଅଧିକ ବର୍ଷ ହେଲା ଚାପ ଖେଳରେ ବ୍ୟବହୃତ ଡଙ୍ଗାଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିବାରୁ ତାର ପରିବର୍ତନ କରାଯିବା ଆବଶ୍ୟକତା ଥିଲା ।
କିନ୍ତୁ ମନ୍ଦିର ପ୍ରଶାସନ ଏଦିଗରେ ଧ୍ୟାନ ଦେଇ ନଥିଲେ । ତେବେ ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଏଥିପାଇଁ ସହଯୋଗର ହାତ ବଢ଼ାଇଲା । ୧୦ରୁ ଊର୍ଦ୍ଧ୍ୱ କାରିଗର ମାସ ମାସ ଧରି ଏହି ଡଙ୍ଗା କାର୍ଯ୍ୟରେ ନିୟୋଜିତ ଥିଲେ । ଏଥିପାଇଁ ନୂତନ ଡଙ୍ଗା ସମର୍ପଣ ଉତ୍ସବର ଏହି ଆୟୋଜନ କରାଯାଇଥିଲା । ନୂତନ ଡଙ୍ଗାଟି ଶାରଳାପୀଠ କନକପୁର ବସନ୍ତବଗିଚା ନିକଟରେ ପହଞ୍ଚିବା ପରେ ମୂଳିସିଂହ, ଓଲେଇପଡ଼ା , ବିରିତୋଲ, ଜଗତସିଂହପୁର ପାଣିଶାଳିଆ , ପୂରଣ ବାସୁଦେଇପୁର ଓ କୁଜଙ୍ଗ ଗଣ୍ଡିକିପୁର ଅଞ୍ଚଳର କୈବର୍ତ୍ତ ସଂପ୍ରଦାୟର ସଦସ୍ୟମାନେ ଏଠାରେ ପହଞ୍ଚିଥିଲେ । ୧୦ଟି ବସ୍ତ୍ରମଣ୍ଡିତ ବାଉଁଶ ନିର୍ମିତ ଘୋଡ଼ା ଓ ଘୋଡ଼ାନାଚ ଦଳର ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରି ମା’ଙ୍କ ପୀଠରେ ପହଞ୍ଚିଥିଲା । ଘଣ୍ଟ ଘଣ୍ଟା କାହାଳୀ, ଢୋଲ ମହୁରୀ, ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ୱନିରେ ଝଙ୍କଡର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ମା ଶାରଳାଙ୍କ ପଣ୍ଡା ସେବକ ଓ ମନ୍ଦିର ପ୍ରଶାସନ ତରଫରୁ ଏହି ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରାଯାଇଥିଲା ।
ଶାରଳାମଣ୍ଡଳ କୈବର୍ତ୍ତ ମହାସଂଘର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ବେହେରା , କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ବେହେରା, ନିଖିଳ ଉତ୍କଳ କୈବର୍ତ୍ତ ମହାସଭାର କେନ୍ଦ୍ରୀୟ ଉପସଭାପତି ପ୍ରସନ୍ନ କୁମାର ବେହେରା, ସମ୍ପାଦକ ମନୋରଞ୍ଜନ ପଲାଇ, ସଙ୍ଗଠନ ସମ୍ପାଦକ ପ୍ରଦୀପ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ କୈବର୍ତ୍ତ ସଂପ୍ରଦାୟର ସହସ୍ରାଧିକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଶାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡାଙ୍କ ସମେତ ସମସ୍ତ ପଣ୍ଡା ସେବକ, ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, ବରଦା ପ୍ରସାଦ ମହାନ୍ତି , ତିର୍ତ୍ତୋଲ ଏସ୍ଡିପିଓ ଅଭିମନ୍ୟୁ ନାୟକ, କନକପୁର ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ ପ୍ରମୁଖ ସମସ୍ତ କର୍ମକର୍ତ୍ତା ଓ କଳାକାରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।