ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ | ଅନେକ ଚିକିତ୍ସା ବିଫଳ ହେବାରୁ ହାତୀ ମୃତ୍ୟୁ ଘଟିଥିବା ସୂଚନା | ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ଅଧିନ ଲେଙ୍ଗେଡ଼ା ଗାଁ ନିକଟ ଜଙ୍ଗଲରେ | କିଛିଦିନ ହେବ ଅସୁସ୍ଥ ଥିବା ମାଈ ହାତୀର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ହାତୀଟିର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ହାତୀଟି ଗତ ସପ୍ତାହେ ହେଲା ଅସୁସ୍ଥ ଥିଲା | ଅସୁସ୍ଥ ହେତୁ ଖାଦ୍ୟ ଖାଇ ପାରୁ ନଥିଲା ହାତୀ । ଦୁଇ ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ନନ୍ଦନକାନନର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଟ୍ରଙ୍କୁଲାଇଜ କରି ଅଚେତ କରିବା ପରେ ଚିକିତ୍ସା ଆରମ୍ଭ କରିଥିଲେ। ହାତୀଟିର ପାଟିରେ ସଂକ୍ରମଣ ହୋଇ ପୋକ ଜମି ଯାଇଥିବା ଦେଖିଥିଲେ ଡାକ୍ତରୀ ଟିମ । ପୋକ ସଫା କରି ସାଲାଇନ ଓ ଔଷଧ ଦେବା ସହିତ ଖାଦ୍ୟ ଖାଇବାକୁ କଦଳୀ ଓ ତରଭୁଜ ଦିଆଯାଇଥିଲା। ପରେ ହାତୀଟି ଧୀରେ ଧୀରେ ସୁସ୍ଥ ମଧ୍ୟ ହୋଇ ଆସୁଥିଲା । ହାତୀକୁ ବନ କର୍ମଚାରୀମାନେ ଜଗି ନିୟମିତ ଔଷଧ ଦେଉଥିଲେ। ହେଲେ ଆଜି ସକାଳୁ ହାତୀଟିର ମୃତ୍ୟୁ ଘଟିଥିଲା । ହାତୀଟିର ମୃତ୍ୟୁ ପରେ ଘଟଣା ସ୍ଥଳରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଓ ବନ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଚଳାଇଛନ୍ତି।