ଭୁବନେଶ୍ୱର: ଚୈତ୍ର ଶୁକ୍ଳ ତ୍ରୟୋଦଶୀ ‘ଅନଙ୍ଗ ତ୍ରୟୋଦଶୀ’ ରୂପେ ଶ୍ରୀମନ୍ଦିରରେ ପାଳିତ ହୁଏ। ଏହାର ଅନ୍ୟନାମ ‘କାମ ତ୍ରୟୋଦଶୀ’। କାମଦେବଙ୍କର ଅନ୍ୟ ନାମ ‘ଅନଙ୍ଗ’। ସେ ପ୍ରେମର ଓ କାମନାର ଦେବତା ‘ଅନଙ୍ଗ’ ଶବ୍ଦର ଅର୍ଥ- ଯାହାଙ୍କର ଅଙ୍ଗ ବା ଶରୀର ନାହିଁ। କାମଦେବ କିପରି ଅନଙ୍ଗ ହେଲେ, ସେ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ।
ତାହା ଅନୁସାରେ, ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ସତୀ ଆତ୍ମାହୁତି ଦେବା ପରେ, ଶିବ ଗଭୀର ତପସ୍ୟାରେ ପ୍ରବୃତ୍ତ ହେଲେ। ସେତେବେଳେ ତାରକାସୁର ଅନେକ ଉତ୍ପାତ କଲା। ତାକୁ ନିହତ କରିବାପାଇଁ ଶିବଙ୍କର ଏକ ପୁତ୍ର ସନ୍ତାନ ହେବାର ବହୁତ ପ୍ରୟୋଜନ ଥିଲା। ତେଣୁ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କର ନିର୍ଦ୍ଦେଶରେ କାମଦେବ ଫୁଲଶର ମାରି ଶିବଙ୍କର ତପସ୍ୟା ଭଙ୍ଗ କଲେ। ତାହା ଫଳରେ ଶିବ କ୍ରୁଦ୍ଧ ହେବାରୁ ତାଙ୍କର ତୃତୀୟ ନୟନର ଅଗ୍ନିରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ। ସେହି ଘଟଣାରେ କାମଦେବଙ୍କ ପତ୍ନୀ ରତି ରୋଦନ କରି, ତାଙ୍କୁ ଫେରାଇ ଦେବାପାଇଁ ପ୍ରାର୍ଥନା କରିବାରୁ, ଶିବ କହିଲେ- ସେ ଆଉ ନିଜର ଶରୀର ଫେରି ପାଇବେ ନାହିଁ। କିନ୍ତୁ ଶରୀର ନଥିଲେ ମଧ୍ୟ, ମନୁଷ୍ୟ ଓ ଅନ୍ୟ ପ୍ରାଣୀଙ୍କ ଉପରେ ତାଙ୍କର ଆଧିପତ୍ୟ ରହିବ। ତେଣୁ କାମଦେବ ଶରୀରୀ ନହେଲେ ବି ପ୍ରାଣୀଙ୍କ ମନରେ କାମନା ବାସନା ଜାଗ୍ରତ କରାଇବାରେ ସମର୍ଥ। ତେଣୁ ମନର ମନ୍ଥନକାରୀ ଭାବରେ ତାଙ୍କର ଗୋଟିଏ ନାମ ମନ୍ମଥ।ବସନ୍ତ ହେଉଛି ‘କୁସୁମାକର’ ବା ଫୁଲର ଋତୁ। ଏ ଋତୁର ପାଞ୍ଚଟି ଫୁଲ କାମଦେବଙ୍କ ଫୁଲଧନୁର ପାଞ୍ଚଟି ଶର। ସେହି ପଞ୍ଚଶର ହେଉଛନ୍ତି- ଅଶୋକ, ଅରବିନ୍ଦ, ଚୂତ, ନବମଲ୍ଲିକା ଓ ନୀଳୋତ୍ପଳ। ଏ ଫୁଲଗୁଡ଼ିକ କାମଦେବଙ୍କର ପଞ୍ଚବାଣ ରୂପେ ମନରେ ସମ୍ମୋହନ, ଉନ୍ମାଦନ, ଶୋଷଣ, ତାପନ ଓ ସ୍ତମ୍ଭନ ଜାତ କରିଥାଆନ୍ତି।
ଶ୍ରୀମନ୍ଦିରର ‘ଦୟଣାଚୋରି’ ନୀତି ସହିତ କାମଦେବ ବା କନ୍ଦର୍ପ ସଂପୃକ୍ତ। ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ। ଏଥିପାଇଁ ଦ୍ୱାଦଶୀ ଦିନ ‘କନ୍ଦର୍ପ ପଟି’ (କାମଦେବଙ୍କ ଚିତ୍ରପଟ)ଙ୍କର ଅଧିବାସ ହୁଏ।‘ଦୟଣା ଚୋରି’ ଯାତ୍ରା ପ୍ରକୃତରେ ‘ଦମନକ ଭଞ୍ଜିକା’ ଯାତ୍ରା ଦମନକ ଯାତ୍ରା ସମ୍ପର୍କରେ ପୁରାଣରେ ବର୍ଣ୍ଣିନା ଅଛି ଯେ , ପୂର୍ବେ ଦମନକ ନାମରେ ଗୋଟିଏ ଅସୁର ଥିଲା। ସେ ସମୁଦ୍ର ଜଳରେ ବାସ କରୁଥିଲା। ଦୈତ୍ୟର ଅତ୍ୟାଚାର ବଢିବାରୁ ପୃଥିବୀକୁ ଏହାର ଦାଉରୁ ରକ୍ଷା କରିବାକୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭଗବାନ ମୀନ ଅବତାର ଧାରଣ କରି ସମୁଦ୍ର ମଧ୍ୟରେ ପ୍ରବେଶ କରି ସେହି ଅସୁରକୁ ବଧ କରିଥିଲେ। ହେଲେ ମୃତ୍ୟୁ ପରେ ଉକ୍ତ ଦାନବର ଦେହ ଭୂମିରେ ପଡି ଏକ ସୁଗନ୍ଧିତ ତୃଣରେ ପରିଣତ ହୋଇଥିଲା। ଏହା ଦେଖି ଭଗବାନ ଚକିତ ହେଲେ। ଏହି ସୁଗନ୍ଧିତ ତୃଣ ଦୟାଣାର ସୁଗନ୍ଧରେ ତୃପ୍ତ ହୋଇ ତାକୁ ନିଜର ବନମାଳାରେ ସ୍ଥାନ ଦେଇ ନିଜ ଗଳାରେ ଧାରଣ କରିଥିଲେ।
ଶ୍ରୀମନ୍ଦିରରେ ଏହାକୁ ଦମନକ ଯାତ୍ରା ଭାବେ ମଧ୍ୟ କୁହାଯାଏ । ମହାପ୍ରଭୁଙ୍କର ଦୟଣା ଅତି ପ୍ରିୟ ହୋଇଥିବାବେଳେ ଏହା ଶ୍ରୀଜିୟୁଙ୍କ ଲାଗି ହେବାର ପରମ୍ପରା ରହିଛି । ତ୍ରୟୋଦଶୀରେ ଅଧିବାସ ହୋଇ ରହିଥିବା ଦୟାଣାକୁ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା କରିବା ପରେ ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା । ଛଅ ମୂର୍ତ୍ତି ଅଳଙ୍କାର ବିଜେ ହେବା ସହ ଏହି ଦୟଣା ନୀତି ଲାଗି ନୀତି ସମ୍ପର୍ଣ୍ଣ ହୋଇଥିବାବେଳେ ୧୩ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ଯାତ୍ରା ପ୍ରମୁଖ ଯାତ୍ରା ଭାବେ ଜଣାଯାଏ ।
ପରମ୍ପରା ଅନୁସାରେ ରାମ ଓ କୃଷ୍ଣ ପାଲିଙ୍କିରେ ଶ୍ରୀମନ୍ଦିରରୁ ଆସି ଜଗନ୍ନାଥ ଭଲ୍ଲବ ମଠରେ ବିଜେ କରିଥିଲେ । ସେଠାରେ ଭୋଗ ପ୍ରସାଦ ଲାଗି ହେବା ପରେ ମୁଦିରସ୍ତ ଭିତରଚ୍ଛ ଓ ଅନାନ୍ୟ ସେବାୟତଙ୍କ ଦ୍ୱାରା ଆଳତୀ ବନ୍ଦାପନା ଆଲଟ ଚାମର ଲାଗି ଆଦି ନୀତି ସମ୍ପାଦନ ହୋଇଥିଲା । ପରେ ରାମ ଓ କୃଷ୍ଣ ଜଗନ୍ନାଥ ଭଲ୍ଲଭ ମଠ ପରିସରରେ ଥିବା ପ୍ରମୋଦ ଉଦ୍ୟାନକୁ ଯାଇ ଦୟାଣା ଚୋରି ନୀତି ସମ୍ପାଦନ କରିଥିବାବେଳେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତ କରିଥିଲେ । ଏହି ଦିବ୍ୟ ଓ ନିଆରା ପରମ୍ପରାରେ ସାମିଲ ହୋଇ ନିଜକୁ କୃତାର୍ଥ ମଣିଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ତୁଳସୀ ଯେତିକି ପ୍ରିୟ ଦୟଣା ମଧ୍ୟ ସେତିକି ପ୍ରିୟ । ତେଣୁ ଦୟଣା ଲାଗି ପରେ ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି ବୋଲି କହିଛନ୍ତି ଗବେଷକ ।