ନିଦ ହଜେଇ ଦେଲେଣି ସାଇବର ଲୁଟେରା। ବିଭିନ୍ନ କୌଶଳ ଆପଣାଇ ଲୋକଙ୍କୁ ଲୁଟୁଛନ୍ତି ସାଇବର ଅପରାଧୀ। ବାରମ୍ବାର ସଚେତନତା ପରେ ବି ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। କେତେବେଳେ ହ୍ବାଟ୍ସଆପ ଡିପିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଫଟୋ ଲଗାଇ ଡରାଇ ଧମକାଇ ଟଙ୍କା ମାଗୁଛନ୍ତି ତ ପୁଣି କେତେବେଳେ ଅନ୍ୟ ଉପାୟରେ ଠକୁଛନ୍ତି । ପୋଲିସ ଓ ସାଧାରଣ ଲୋକଙ୍କ ନିଦ ହଜି ଗଲାଣି। ଏହାକୁ ରୋକିବାକୁ କମିଶନରେଟ ପୋଲିସ ଯେତେସବୁ ପନ୍ଥା ଆପଣାଇଥିଲେ ବି କିଛି ସୁଫଳ ମିଳୁନି। ତେଣୁ ସୋମବାର ଶଟ୍ ଭିଡିଓ ଜାରି କରି ସଚେତନ କରାଇବାକୁ ଚେଷ୍ଟା କରିଛି କମିଶନରେଟ ପୋଲିସ । ଦିନକୁଦିନ ଠକେଇ ପାଇଁ ସାଇବର ଅପରାଧୀମାନେ ନୂଆ ନୂଆ କୌଶଳ ଆପଣାଉଥିବା ପୋଲିସ କହିଛି।
ଉକ୍ତ ଭିଡିଓରେ କୁହାଯାଇଛି, ଯଦି କେହି ବ୍ୟକ୍ତି ବାହାର ଦେଶ ନମ୍ବରରୁ ହ୍ବାଟ୍ସଆପ୍ରେ କଲ୍ କରନ୍ତି ଓ ଡିପିରେ ପୋଲିସ ଫଟୋ ବ୍ୟବହାର କରି ଡରାନ୍ତି, ତା’ହେଲେ ଭୟଭୀତ ହୋଇ ସେମାନଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ଶେୟାର ନ କରିବାକୁ କୁହାଯାଇଛି। ଏପରିକି ଉକ୍ତ ନମ୍ବରକୁ ସଙ୍ଗେ ସଙ୍ଗେ ବ୍ଲକ କରିବା ସହ ୧୯୩୦ ବା ସାଇବର ଥାନାରେ ତୁରନ୍ତ ଅଭିଯୋଗ କରିବାକୁ ଭିଡିଓରେ ପରାମର୍ଶ ଦିଆଯାଇଛି।
ସୂଚନାନୁସାରେ, ଦୁଇ ତିନିଦିନ ତଳେ ରାଜଧାନୀର ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ସାଇବର ଅପରାଧୀ ଧମକପୂର୍ଣ୍ଣ କଲ୍ କରିଥିଲେ। ଅପରାଧୀ ଜଣକ କହିଥିଲେ, ଜଣେ ଯୁବତୀଙ୍କୁ ତୁମ ପୁଅ ୪ଜଣ ସାଙ୍ଗ ସହ ମିଶି ବଳାତ୍କାର କରିଛନ୍ତି। ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ତୁମ ପୁଅଙ୍କୁ ଗିରଫ କରାଯାଇଛି। ୨୦ ହଜାର ଟଙ୍କା ପଠାଇଲେ ତୁମ ପୁଅଙ୍କୁ ଛାଡି ଦିଆଯିବ। ତେବେ ହ୍ବାଟ୍ସ ଆପ୍ରୁ ଏହି କଲ୍ ଆସିଥିବାବେଳେ ସେଥିରେ ଜଣେ ବରିଷ୍ଠ ପୋଲିସ ଡିଜିଙ୍କ ଫଟୋ ଥିବା ଦେଖି ପ୍ରଥମେ ବ୍ୟକ୍ତିଜଣକ ଚିନ୍ତାରେ ପଡିଥିଲେ। ହେଲେ ପରେ ଏହା ସାଇବର ଠକଙ୍କ ଚାଲ୍ବାଜି ଜାଣିବା ପରେ ଚତୁରତାର ସହ ସାଇବର ଥାନାରେ ଅଭିଯୋଗ କରିଥିଲେ ।