ଆଜି ବଦଳିଛି ପାଗ । ୨୧ଦିନପରେ ଅସହ୍ୟ ଖରା ଓ ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହେଉଛି । ନୟାଗଡ଼, ପୁରୀ ଓ ଗଞ୍ଜାମ,ଖୋର୍ଦ୍ଧା ଆଦି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେଉଛି । କିଛି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ସହ ବର୍ଷା ହୋଇଛି । ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଓଡ଼ିଶା ଉପରେ ଥିବା ଟ୍ରାପ ଲାଇନ ପ୍ରଭାବରେ ଆସନ୍ତାକାଲି ଠାରୁ ପୁରା ଓଡ଼ିଶାକୁ ଭିଜାଇବ କାଳବୈଶାଖୀ ଜନିତ ବର୍ଷା । କାଲିଠାରୁ ବର୍ଷାର ପ୍ରଭାବ ରହିଥିଲେ ମଧ୍ୟ ୭ ରୁ ୯ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।
ଆସନ୍ତାକାଲି ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, କେଉଁଝର, ମୟୂରଭଞ୍ଜ, ଏବଂ ବାଲେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୮ ଏବଂ ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଉତ୍ତର ଉପକୂଳ ଓଡ଼ିଶା-ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।