ଭୁବନେଶ୍ୱର: ତାମିଲନାଡୁର ଏକ ସି-ଫୁଡ୍ କାରଖାନାରେ ଘଟିଥିବା ଭୟଙ୍କର ଗ୍ୟାସ୍ ଲିକ୍ ଦୁର୍ଘଟଣା ଓଡ଼ିଶା ପାଇଁ ଆଣିଛି ଗଭୀର ଦୁଃଖର ଖବର। ଏହି ଅଘଟଣରେ ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ବଢ଼ିଛି।
ମୃତକ ହେଲେ କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଡିପଶା ଗ୍ରାମର ସଜନୀ ଜୁଆଙ୍ଗ। ତିରୁଭାଲ୍ଲୁର ଜିଲ୍ଲାର ଏକ ସି-ଫୁଡ୍ ଫ୍ୟାକ୍ଟ୍ରିରେ ଅମୋନିଆ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଅନେକ ଓଡ଼ିଆ ଶ୍ରମିକ ପ୍ରଭାବିତ ହୋଇଥିବାବେଳେ ୭ ଜଣଙ୍କ ଜୀବନ ଯାଇଛି।
ସୂଚନା ଅନୁଯାୟୀ, ସଜନୀଙ୍କ ମୃତଦେହ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଘଟଣା ପରେ ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏପଟେ ଦୁର୍ଘଟଣାକୁ ନେଇ ରାଜ୍ୟ ସରକାର ମଧ୍ୟ ସକ୍ରିୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି। ପୂର୍ବରୁ CMRFରୁ ଘୋଷଣା ହୋଇଥିବା ୪ ଲକ୍ଷ ଟଙ୍କା ସହାୟତାକୁ ବଢ଼ାଇ ଏବେ ୧୦ ଲକ୍ଷ ଟଙ୍କା କରାଯାଇଛି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।