ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାଜପୁର ସୁକିନ୍ଦା ରେଲୱେ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ଏହି ଦୁର୍ଘଟଣା ଘଟିଛି। ତେବେ ରେଳ ଧାରଣାରେ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନା ଅନୁସାରେ, ଯାଜପୁର ରୋଡ ଜିଆରିପି ଫାଣ୍ଡି ଅନ୍ତର୍ଗତ ଓଲଳ ପଞ୍ଚାୟତ ଡଙ୍କାଗଡିଆ ରେଳ ଧାରଣାରେ ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସକାଳ ୬ଟାରେ ଖବର ପାଇଥିଲା ପୋଲିସ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ରେଳ ଧାରଣାରୁ ଉଦ୍ଧାର କରିଥିଲା। ତେବେ ଯୁବକଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏପରିକି ମୃତ ଯୁବକଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ତାଙ୍କ ଘର କେଉଁଠି ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।