ଶ୍ରୀମନ୍ଦିରରେ ରକ୍ତଛିଟା,ମହାପ୍ରଭୁଙ୍କ ହେଲା ମହାସ୍ନାନ । ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତ ଛିଟା । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିରର ଭିତର କାଠ ନିକଟରେ ଏହି ରକ୍ତ ଛିଟା ପଡିଥିଲା । ଏହାକୁ ଦେଖିବା ପରେ ମଙ୍ଗଳ ଆରତୀ ପୂର୍ବରୁ ମହାସ୍ନାନ କରାଯାଇଛି।
ସୂଚନା ଅନୁଯାୟୀ,ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ସେହି ସମୟରେ ସେବାୟତ ଘରର ଜଣେ ମହିଳା ଝୁଣ୍ଟି ପଡ଼ିଥିଲେ । ମଙ୍ଗଳ ଆଳତୀ ସମୟରେ କେବଳ ସେବକ, ସେମାନଙ୍କ ଧର୍ମ ପତ୍ନୀ କିମ୍ବା ପରିବାର ସଦସ୍ୟ ଭିତର କାଠ ନିକଟକୁ ଯାଇଥାନ୍ତି ।
ମହିଳାଜଣକ ଝୁଣ୍ଟିବା ପରେ ତାଙ୍କ ଆଂଗୁଠିରୁ ରକ୍ତ ଛିଟା ଭିତରକାଠ ନିକଟ ଧୁକୁଡି ଦ୍ୱାରରେ ଲାଗିଥିଲା । ତେଣୁକରି ମଙ୍ଗଳ ଆଳତୀ ପୂର୍ବରୁ ପ୍ରାୟ ଘଣ୍ଟାଏ କାଳ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯାଇଥିଲା । ମହାପ୍ରଭୁଙ୍କ ବଡ ମହାସ୍ନାନ ବେଳେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାକୁ ପ୍ରବେଶ ବାରଣ କରାଯାଇଥିଲା ।