ସରଗରମ ରାଜ୍ୟ ରାଜନୀତି । କେତେବେଳେ ଦଳ ଅଦଳବଦଳ କରିବାରେ ନେତା ଲାଗିଛନ୍ତି ତା କେତେବେଳେ ନେତାଙ୍କ ଟିକେଟ କଟୁଛି । ତେବେ ଏହାରି ମଧ୍ୟରେ ବିଜେଡିରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ନିମାପଡ଼ାର ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କୁ ବିଜେଡି ଟିକେଟ ଦେଇନି । ତାଙ୍କ ବଦଳରେ ଦଳ ଦିଲ୍ଲୀପ କୁମାର ନାୟକଙ୍କୁ ଭରସା କରି ଟିକେଟ ଦେଇଛି। ଏହାକୁ ନେଇ ମନ ଊଣା କରିଛନ୍ତି ବିଧାୟକ ସମୀର ରଞ୍ଜନ ଦାଶ।
ସୂଚନା ଯୋଗ୍ୟ ଆଜି ଏକ ବୈଠକରେ ଏହା ସ୍ପଷ୍ଟ ଦେଖାଯାଇଥିଲା। ନିଜ ସମର୍ଥକଙ୍କ ଦ୍ୱାରା ଆୟୋଜିତ ଏହି ବୈଠକକୁ ସମ୍ବୋଧିତ କଲା ବେଳେ ସମୀର ଭାବବିହ୍ୱଳ ହୋଇଯାଇଥିଲେ। ଆଉ ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା ।
ଶୁଣିବାକୁ ମିଳୁଛି ଆସନ୍ତା ଶନିବାର ନିଜ ସମର୍ଥକଙ୍କ ସହିତ ସମୀର ରଞ୍ଜନ ଦାଶ ଦଳ ନିକଟରେ ଟିକେଟ ପରିବର୍ତ୍ତନ ପାଇଁ ନିବେଦନ କରିବେ। ତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଜେଡି କିଛି ସ୍ଥାନରେ ତା’ର ପୂର୍ବ ନିଷ୍ପତ୍ତିକୁ ବଦଳାଇ ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ ତାଙ୍କ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳାଫଳ ଆସିବ ବୋଲି ସମୀର ଆଶା ରଖିଛନ୍ତି ।
ବୈଠକରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମୀର କହିଥିଲେ, ଯେ ‘ଆମର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୂରା ବିଶ୍ୱାସ ଅଛି। ମୋର ରାଜନୀତିକ ଜୀବନକୁ ୪୨ ବର୍ଷ ହୋଇଗଲାଣି। ଏହି ବୈଠକକୁ ଆସିବା ପୂର୍ବରୁ ମୁଁ ଶୁଣିବାକୁ ପାଇଲି ଯେ ଶନିବାର ଏକ କାର୍ଯ୍ୟକ୍ରମ ଆପଣମାନେ ହାତକୁ ନେଇଛନ୍ତି। ନିଶ୍ଚିତ ଭାବରେ ସେ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଦଳ ଓ ଆମ ନେତାଙ୍କୁ ନିବେଦନ କରିବା ଯେ ଆମେ ନିମାପଡ଼ାର ୩୦ ହଜାରରୁ ଅଧିକ ଲୋକ ଏକାଠି ହୋଇଛୁ ଓ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଏ ଟିକେଟ ପରିବର୍ତ୍ତନ କରନ୍ତୁ ଓ ସମୀର ଦାଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଅନ୍ତୁ। ଏ ନିଷ୍ପତ୍ତି ଆପଣମାନେ ନେଇଛନ୍ତି। ଆପଣମାନଙ୍କ ଏହି ନିଷ୍ପତ୍ତି ସହିତ ମୁଁ ଯୋଡ଼ି ହୋଇ ରହିଛି। ତେବେ ଧୈର୍ଯ୍ୟ ରଖିବା। ତେବେ ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେବା ନାହିଁ ବୋଲି ସମୀର କହିଛନ୍ତି ।