ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସମେତ ଟିମ୍ ମ୍ୟାନେଜମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । ଏହି ବୈଠକ ବୁଧବାର ରାୟପୁରରେ ଆୟୋଜିତ ହେବ । ଏହି ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିିନିକିଆ ଖେଳାଯିବ । ଏହି ବୈଠକ ମ୍ୟାଚ୍ ପୂର୍ବରୁ ବସିବ । ସ୍ପୋର୍ଟ୍ସ ଷ୍ଟାରର ରିପୋର୍ଟ ଅନୁଯାୟୀ, ମିଟିଂରେ ବିସିସିଆଇ ଗମ୍ଭୀର ଓ ଅଗରକରଙ୍କୁ ଟେଷ୍ଟ କ୍ରିକେଟର ରଣନୀତି, ଟିମ୍ ଚୟନ ଓ ମ୍ୟାନେଜମେଣ୍ଟର ବରିଷ୍ଠ ଖେଳାଳିଙ୍କ ସହ ସଂପର୍କକୁ ନେଇ ସ୍ପଷ୍ଟୀକରଣ ମାଗିବ । ବୈଠକରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କ ସହ ଟିମ ମ୍ୟାନେଜମେଣ୍ଟର ବ୍ୟବହାର ଓ ଆଲୋଚନା ଉପରେ ମଧ୍ୟ ସଫେଇ ମଗାଯିବ ।
ଏହି ବୈଠକରେ ବିସିସିଆଇ ସଚିବ ଦେବଜିତ ସୈକିୟା, ଯୁଗ୍ମ ସଚିବ ପ୍ରଭଜେତ ସିଂ ଭାଟିଆ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଯୋଗ ଦେବେ । ବିସିସିଆଇ ଅଧ୍ୟକ୍ଷ ମିଥୁନ ମନହାସ ବୈଠକରେ ଯୋଗ ଦେବେ କି ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଖେଳାଳିଙ୍କ ମଧ୍ୟ ସାମିଲ ହେବାର ସମ୍ଭାବନା କମ ରହିଛି, କାରଣ ଏହି ଦିନ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
ବିସିସିଆଇର ଜଣେ ବଡ ଅଧିକାରୀ କହିଛନ୍ତି ଯେ, ଏହି ବୈଠକର ଉଦ୍ଦେଶ୍ୟ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ସାମଞ୍ଜସ୍ୟ ସୁନିଶ୍ଚିତ କରିବା, ଚୟନରେ ନିରନ୍ତରତା ଓ ଦଳ ପ୍ରଦର୍ଶନକୁ ଉନ୍ନତ କରିବା । ଅଧିକାରୀ ସ୍ୱୀକାର କରିଛନ୍ତି ଯେ, ଟେଷ୍ଟ ଫର୍ମାଟରେ ନିକଟରେ ହୋଇଥିବା ଦଳର ପ୍ରଦର୍ଶନ ବହୁତ ଚିନ୍ତାଜନକ ରହିଛି ।
ବୈଠକରେ ଟେଷ୍ଟ କ୍ରିକେଟ୍ ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହେବ ନାହିଁ । ଅଧିକାରୀଙ୍କ କହିବା କଥା ବର୍ତ୍ତମାନ ଦଳ ପ୍ରବନ୍ଧକ ଯେଉଁଭଳି ଭାବେ ସୀମିତ ଓଭର କ୍ରିକେଟରେ ବରିଷ୍ଠ ଖେଳାଳିଙ୍କ ସହ ବ୍ୟବହାର କରୁଛନ୍ତି, ତାହା ବିଚାର କରାଯିବା ଜରୁରୀ । ଅଧିକାରୀ କହିଛନ୍ତି, ଭାରତ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ପ୍ରବଳ ଦାବିଦାର । ଏହା ପରେ ଦିନିକିଆ ବିଶ୍ୱକପ୍ ପାଇଁ ଦଳ ଚୟନ କରାଯିବ । ତେଣୁ ଶୀଘ୍ର ଏସବୁ ପ୍ରସଙ୍ଗର ସମାଧାନ କରିବୁ ବୋଲି ଜନୈକ ଅଧିକାରୀ କହିଛନ୍ତି ।
Also read: T-20 India vs South Africa- କେତେବେଳେ ଏବଂ କିପରି କାଟିବେ ଟିକେଟ୍