ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ ଅର୍ଥାତ ଗୁରୁ ଦିବସ । ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ପ୍ରତିବର୍ଷ ଗୁରୁ ଦିବସ ରୂପେ ପାଳନ କରାଯାଏ । ଜୀବନର ପ୍ରତି ସୋପାନରେ ଜଣେ ଗୁରୁଙ୍କର ଉପସ୍ଥିତି ଆବଶ୍ୟକ ହୋଇଥାଏ । ଯେମିତି ଜଳ ବିନା ମୀନର କିଛି ମୂଲ୍ୟ ନ ଥାଏ ସେହିପରି ଗୁରୁ ବିନା ଶିଷ୍ୟର ବି କିଛି ମୂଲ୍ୟ ନ ଥାଏ । ବାପା ମା ହେଉଛନ୍ତି ଜୀବନର ପ୍ରଥମ ଗୁରୁ । ଜୀବନରେ ଆଗକୁ ବଢ଼ିବା ପାଇଁ ଜଣେ ଗୁରୁଙ୍କର ଆଦର୍ଶ ଓ ମାର୍ଗ ଦରକାର ହୋଇଥାଏ । ପ୍ରାଚୀନ କାଳରୁ ହିଁ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ଗୁରୁ ଶବ୍ଦର ଅର୍ଥ ଯିଏ ଅନ୍ଧାରରୁ ଆଲୋକ ଆଡ଼କୁ ମାର୍ଗ ଦେଖାଇଥାନ୍ତି । ତାଙ୍କର ସତ ମାର୍ଗ ଦର୍ଶନ ସବୁବେଳେ ଶିଷ୍ୟଙ୍କୁ ଜୀବନର ଉଚ୍ଚତର ପାହାଚ ଚଢିବାରେ ସାହାଯ୍ୟ କରେ ।