ଭୁବନେଶ୍ୱର, ଏପ୍ରିଲ ୨୫ (ଖବର ଓଡିଶା)
କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ସଚିନ୍ ତେନ୍ଦୁଲକରଙ୍କ କଥା କହିଲେ ଦୁନିଆର ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଭାରିଆସେ ଅସୁମାରୀ ଭଲପାଇବା, ସ୍ନେହ ଆଦର ଓ ଭକ୍ତିପୁତ୍ତ ସମ୍ମାନ। ଭାରତର କିଂବଦନ୍ତି କ୍ରିକେଟର, ବିଶ୍ୱ କ୍ରିକେଟ ଗୁରୁ ସଚିନ ତେନ୍ଦୁଲକର ତାଙ୍କର ୫୦ ତମ ଜନ୍ମଦିନ ପାଳନ କରିଛନ୍ତି ଓ ଏହି ଅବସରରେ ଅଷ୍ଟ୍ରେଲିଆର ସିଡ୍ନି କ୍ରିକେଟ୍ ଷ୍ଟାଡିୟମ୍ ତାଙ୍କୁ ଏକ ଉପହାର ସ୍ୱରୂପ ଅମରତ୍ୱ ପ୍ରଦାନ କରିଛି। ପ୍ରଥମ ଥର ପାଇଁ ଅଣ ଅଷ୍ଟ୍ରେଲିୟ କ୍ରିକେଟର୍ ଭାବେ ସଚିନ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ପଡ଼ିଆ ଭିତରକୁ ଯିବା ପାଇଁ ଥିବା ଗେଟ୍କୁ ସଚିନଙ୍କ ସହ ୱେଷ୍ଟଇଣ୍ଡିଜ୍ କିଂବଦନ୍ତି କ୍ରିକେଟର ବ୍ରାଏନ୍ ଲାରାଙ୍କ ନାମରେ ନାମିତ କରାଯାଇଛି। ଏହି ଗେଟ୍ ଡ୍ରେସିଂରୁମ୍ ପାଖକୁ ଥିବା ମେମ୍ବର୍ସ ପାଭିଲିଅନ୍ ଓ ବ୍ରାଡମ୍ୟାନ୍ ମେସେଞ୍ଜର ଷ୍ଟାଣ୍ଡ ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି।
ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଏହି ପଡ଼ିଆ ଭିତରକୁ ଡନ୍ ବ୍ରାଡମ୍ୟାନ୍ ଗେଟ୍ ଦେଇ ପଡ଼ିଆକୁ ପ୍ରବେଶ କରିଆସୁଥିଲେ। ଏହାପରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆର୍ଥର ମୋରିସ୍ ଓ ଆଲାନ୍ ଡେଭିଡ୍ସନ୍ଙ୍କ ନାମରେ ପୂର୍ବରୁ ଏଠାରେ ଗେଟ୍ ରହିଛି। ତେବେ ଲାରା-ତେନ୍ଦୁଲକର ଗେଟ୍କୁ ୨୦୧୯-୨୦ ଋତୁରୁ ଅନାବରଣ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଥିଲେ, କିନ୍ତୁ ଆଗକୁ ସଚିନଙ୍କ ମାଇଲ୍ଖୁଣ୍ଟ ଅର୍ଥାତ୍ ୫୦ତମ ଜନ୍ମଦିନ ଆସୁଥିବାରୁ ଏହି ଯୋଜନାକୁ ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା।
ସିଡ୍ନିରେ ସଚିନ ୫ ଟେଷ୍ଟ ମ୍ୟାଚ୍ ଖେଳିଥିଲା ବେଳେ ୧୫୭.୦୦ ହାରରେ ୭୮୫ ରନ୍କରିଥିଲେ। ସେ ଏଠାରେ ରଚନା କରିଥିବା ଶତକ ମହାକାବ୍ୟରେ ୩ ଶତକ ମଧ୍ୟରୁ ଥରେ ୨୪୧ ରନ୍ କରି ଅପରାଜିତ ଥିଲେ। ସେହିପରି ଲାରା ଏଠାରେ ୪ ମ୍ୟାଚ୍ ଖେଳିଥିଲା ବେଳେ ୫୪.୮୪ ହାରରେ ୩୮୪ ରନ୍ କରିଛନ୍ତି ଓ ତାଙ୍କର ପ୍ରଥମ ଟେଷ୍ଟ ଶତକ ଏହି ପଡ଼ିଆରେ ମାରିଥିଲା ବେଳେ ୨୭୭ ରନ୍ କରି ଆଉଟ୍ ହୋଇଥିଲେ। ସିଡ୍ନି ପକ୍ଷରୁ ଉଭୟ କ୍ରିକେଟର୍ଙ୍କ ନାମରେ ଗେଟ୍ କରାଯିବା ପରେ ସଚିନ ଓ ଲାରା ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।