କେନ୍ଦୁଝର: ପଶୁପକ୍ଷୀଙ୍କ ପ୍ରେମରେ ପାଗଳ ଯୁବ ଇଞ୍ଜିନିୟର୍ ଶୁଭ୍ରାଂଶୁ ମହାନ୍ତି। ଚାକିରୀ ଛାଡି୨ଶହରୁ ଉର୍ଧ୍ବ ପଶୁପକ୍ଷୀଙ୍କ ପାଇଁ ପାଲଟିଛନ୍ତି ସାହାରା।ଦିନ,ରାତି ନିଜ ସନ୍ତାନଠୁ ବଳି ପଶୁପକ୍ଷୀମାନଙ୍କର ସମସ୍ତ କାର୍ଯ୍ୟ ସେ ନିଜେ ହିଁ ତୁଲାଇଥାନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା, ପକ୍ଷୀମାନେ ନୀଳ ଆକାଶରେ ମନଭରି ଉଡିବା ପରେ, ଶୁଭ୍ରାଂଶୁଙ୍କ ଡାକ ଶୁଣି ହାଜର ହୋଇଯାନ୍ତି । ତା ସହିତ ନିଜର ୟୁ- ଟ୍ୟୁବ ଚ୍ୟାନେଲ ମାଧ୍ୟମ ରେ ପଶୁ ପକ୍ଷୀ ମାନଙ୍କ ପ୍ରତି ହିଂସ୍ର ନହେବା ପାଇଁ ଭଲ ପାଇବା ର ସଚେତନତା ବାର୍ତ୍ତା ଦେଉଛନ୍ତି। ଆସନ୍ତୁ ଦେଖିବା, କେନ୍ଦୁଝର ରୁ ନିଆରା ପଶୁପକ୍ଷୀ ପ୍ରେମୀ, ଶୁଭ୍ରାଂଶୁଙ୍କ କାହାଣୀ।
କେନ୍ଦୁଝର ସହର ବଣିଆପାଟ୍ ଅଞ୍ଚଳର ନିଆରା ପଶୁପକ୍ଷୀ ପ୍ରେମୀ ଶୁଭ୍ରାଂଶୁ ମହାନ୍ତି। କୁକୁର, ବିଲେଇ, ଠେକୁଆ, ମୂଷା ସହିତ, ରଖିଛନ୍ତି ୨ଶହରୁ ଉର୍ଧ୍ବ ବିଭିନ୍ନ ପକ୍ଷୀ ପ୍ରଜାତି। ସବୁଠାରୁ ଦାମୀ ପକ୍ଷୀ କୁହାଯାଉଥିବା ସନ୍ କନିୟର୍ ଯୋଡା ୩୦ହଜାର ଟଙ୍କା ଦେଇ ସେ କିଣି ରଖିଛନ୍ତି। ଭଳିକି ଭଳି ବିଭିନ୍ନ ପ୍ରଜାତିର ପାରା ସାଙ୍ଗକୁ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ ସମାହାର ସତେ ଯେମିତି ଏକ ଚିଡିଆଖାନାର ଭ୍ରମ ସୃଷ୍ଟି କରୁଛି। ଶୁଭ୍ରାଂଶୁ ଯେ କେବଳ ପକ୍ଷୀଙ୍କର ସେବା କରି ଆନନ୍ଦିତ ହୁଅନ୍ତି ତା ନୁହେଁ, ଯେଉଁମାନେ ପକ୍ଷୀମାନଙ୍କୁ ଦେଖିବାକୁ ଯାଆନ୍ତି, ସେମାନଙ୍କର ମନ ମଧ୍ୟ ଆନନ୍ଦରେ ଭରିଉଠେ। ସନ୍ତାନଠୁ ବଳି ଶୁଭ୍ରାଂଶୁଙ୍କର ପଶୁପକ୍ଷୀଙ୍କ ପ୍ରତି ଅନାବିଳ ପ୍ରେମ ପଡୋଶୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ପିଲାଟି ବେଳୁ ଶୁଭ୍ରାଂଶୁଙ୍କର ଥିଲା ପଶୁପକ୍ଷୀଙ୍କ ପ୍ରତି ଦୁର୍ବଳତା। ଟେଲିକମ୍ ଇଞ୍ଜିନିୟରିଂ ଶେଷ କରି ସେ ଏକ ଘରୋଇ କମ୍ପାନୀରେ ୨୦୦୮ମସିହାରେ ଚାକିରୀ କଲେ ହେଲେ ପଶୁପକ୍ଷୀ ପ୍ରେମରେ ଏମିତି ପାଗଳ ହୋଇଗଲେ ଯେ ଶେଷରେ ଏମାନଙ୍କ ସେବା କରିବା ପାଇଁ ଚାକିରୀ ମଧ୍ୟ ଛାଡିଦେଲେ । ପ୍ରଥମେ ବିଦେଶୀ ପିଟବୁଲ୍ ପ୍ରଜାତିର କୁକୁର ଆଣି ଲାଳନ ପାଳନ କଲେ । ଏହାପରେ, ସେ ଅନେକ ନାମୀଦାମୀ ପ୍ରଜାତିର ପକ୍ଷୀ ସହିତ, ବିଦେଶୀ ବିଲେଇ, କୁକୁର, ଠେକୁଆ, ମୂଷା ଆଦି ରଖି ଲାଳନ, ପାଳନ କରୁଛନ୍ତି। ରାସ୍ତାଘାଟରେ ଦୁର୍ଘଟଣାର ଶିକାର ହୋଇଥିବା କୁକୁର, ଗାଈମାନଙ୍କୁ ସେ ଉଦ୍ଧାର କରି ସେମାନଙ୍କ ସେବାଶୁଶ୍ରୁଷା କରିଥାନ୍ତି । ସମସ୍ତ ପଶୁପକ୍ଷୀଙ୍କୁ ସେ ଇଣ୍ଡିଆନ୍ ଆନିମଲ୍ ଆକ୍ଟ, ୧୯୭୩ ଅନୁସାରେ ପଞ୍ଜିକରଣ କରିଥିବା କହିଛନ୍ତି। ମଣିଷ ଧୋକା ଦିଏ, ହେଲେ, ଜୀବଜନ୍ତୁଙ୍କୁ ଭଲପାଇବା ଦେଲେ, ସେମାନେ କେବେବି ଧୋକା ଦିଅନ୍ତି ନାହିଁ ବୋଲି କହନ୍ତି ଶୁଭ୍ରାଂଶୁ । ଏପରିକି, ଶୁଭ୍ରାଂଶୁଙ୍କ ନିବିଡ ଭଲପାଇବାରେ ବନ୍ଧା ପକ୍ଷୀମାନଙ୍କୁ ଆକାଶରେ ଛାଡିଦେଲେ ମଧ୍ୟ ସେ ଶୁଭ୍ରାଂଶୁଙ୍କୁ ଛାଡି ଯାଆନ୍ତି ନାହିଁ । ନିଜର ୟୁ-ଟ୍ୟୁବ ଚ୍ୟାନେଲ ମାଧ୍ୟମ ରେ ରାସ୍ତା ରେ ଯାଉଥିବା ଗାଡି ମଟର ଚାଳକ ମାନଙ୍କୁ ସଚେତନ ମଧ୍ୟ କରାଉଛନ୍ତି। ଆଗକୁ ଏହାକୁ ବିରାଟ ଆକାର ରେ କରି ଅଧିକ ରୁ ଅଧିକ ପଶୁ ପାକ୍ଷୀ ରଖି ସେବା ଯତ୍ନ କରି ପାରିବେ ଲକ୍ଷ ରଖିଛନ୍ତି ଶୁଭ୍ରାଂଶୁ।