ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ, କଡ଼ାକଡ଼ି ଯାଞ୍ଚ, ଗିରଫ କିମ୍ବା ଥାର୍ଡ ଡିଗ୍ରୀ ଭଳି ଚିତ୍ର ଭାସିଉଠେ। କିନ୍ତୁ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପୋଲିସର ଆଉ ଏକ ମାନବିକ ଓ ସମ୍ବେଦନଶୀଳ ଚେହେରାକୁ ସାମ୍ନାକୁ ଆଣିଛି। ଏହି ଘଟଣା ଦେଖିବା ପରେ ଅନେକେ କହୁଛନ୍ତି “ଖାକି ପୋଷାକ ଭିତରେ ବି ଏକ ହୃଦୟ ଆଉ ମାନବିକତା ଲୁଚିଛି"।
ମହାରାଷ୍ଟ୍ର ପୋଲିସରେ କାର୍ଯ୍ୟରତ ସୁଶୀଲ ଶିଖରେ ଏବେ ଇଣ୍ଟରନେଟର ନୂଆ ହିରୋ ପାଲଟିଛନ୍ତି। ନିୟମିତ ପାଟ୍ରୋଲିଂ ସମୟରେ ତାଙ୍କ ନଜର ପଡ଼ିଥିଲା ଏକ ଯାଯାବର ପରିବାର ଉପରେ। ରାସ୍ତା କଡ଼ରେ ଜୀବନ କାଟୁଥିବା ଏହି ପରିବାର ପାଇଁ ଆକାଶ ହିଁ ଛାତ ଓ ରାସ୍ତା କଡ଼ ହିଁ ଘର ପାଲଟିଥିଲା।
ପରିବାରର ଜଣେ ମହିଳା ନିଜ ଶିଶୁକୁ ଶୁଆଇବା ପାଇଁ ଛିଣ୍ଡା କପଡ଼ା ଓ ବାଉଁଶ ସାହାଯ୍ୟରେ ଏକ ଅସ୍ଥାୟୀ ଦୋଳି ତିଆରି କରିଥିଲେ। ପ୍ରଥମେ ପୋଲିସ ଅଧିକାରୀ ସେହି ଦୋଳିକୁ ହଟାଇ ଦେଉଥିବା ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଅନେକଙ୍କ ମନରେ ଧାରଣା ହୋଇଥିଲା ଯେ ବୋଧହୁଏ ସେ ଗରିବ ପରିବାରକୁ ହଇରାଣ କରୁଛନ୍ତି।
କିନ୍ତୁ କିଛି ମୁହୂର୍ତ୍ତ ପରେ ସାମ୍ନାକୁ ଆସିଥିଲା ଘଟଣାର ପ୍ରକୃତ ଚିତ୍ର। ସୁଶୀଲ ଶିଖରେ ନିଜେ ଏକ ନୂଆ ଓ ସୁରକ୍ଷିତ ଝୁଲା ଦୋଳି ଆଣି ସେଠାରେ ଲଗାଇଥିଲେ। ଏହାପରେ ମାଆଙ୍କ କୋଳରୁ ଶିଶୁଟିକୁ ଆଦରରେ ଉଠାଇ ନିଜେ ନୂଆ ଦୋଳିରେ ଶୁଆଇ ଦେଇଥିଲେ। ଏହି ଦୃଶ୍ୟ ଦେଖି ଶିଶୁର ମାଆଙ୍କ ଆଖି ଛଳଛଳ ହୋଇଯାଇଥିଲା।
ଏହା କେବଳ ଏକ ଦୋଳି ଦେବାର କାହାଣୀ ନୁହେଁ। ଏହା ହେଉଛି ମାନବିକତା, ସହାନୁଭୂତି ଓ କର୍ତ୍ତବ୍ୟବୋଧର ଏକ ସୁନ୍ଦର ଉଦାହରଣ। ଯେଉଁ ସମୟରେ ପୋଲିସକୁ ନେଇ ନକାରାତ୍ମକ ଖବର ଅଧିକ ଚର୍ଚ୍ଚାରେ ରହୁଛି, ସେହି ସମୟରେ ସୁଶୀଲ ଶିଖରେଙ୍କ ଏହି କାର୍ଯ୍ୟ ପ୍ରମାଣ କରିଛି ଯେ ଖାକି ପୋଷାକ କେବଳ ଶକ୍ତିର ପ୍ରତୀକ ନୁହେଁ, ବରଂ ମାନବିକତାର ମଧ୍ୟ ଏକ ପରିଚୟ। ଏହି କାରଣରୁ ତାଙ୍କର ଏହି ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ନେଇଛି।