ବାଲେଶ୍ୱର: ଦିନ ଗଡ଼ିଯାଏ, କ୍ୟାଲେଣ୍ଡର ବଦଳିଯାଏ, ରେଳଧାରଣାରେ ପୁଣି ଟ୍ରେନ୍ ଦୌଡ଼େ। କିନ୍ତୁ ବାଲେଶ୍ୱର ବାହାନଗାର ସେହି କଳା ସନ୍ଧ୍ୟାର ସ୍ମୃତି ଆଜି ବି ମନରୁ ଲିଭିନାହିଁ। ୨୦୨୩ ଜୁନ୍ ୨ର ସେହି ଅଭିଶପ୍ତ ଶୁକ୍ରବାର ଓଡ଼ିଶା ତଥା ଦେଶର ରେଳ ଇତିହାସରେ ଲେଖିଦେଇଥିଲା ଏକ ଭୟଙ୍କର ଅଧ୍ୟାୟ। ଆଜି ସେହି ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୂରିଛି ୩ ବର୍ଷ, ହେଲେ ଯନ୍ତ୍ରଣାର ଦାଗ ଏବେ ବି ସତେଜ ରହିଛି।
କେମିତି ହୋଇଥିଲା ଏହି ଟ୍ରେନ ଟ୍ରାଜେଡି
୨୦୨୩ ଜୁନ୍ ୨, ସନ୍ଧ୍ୟା ପ୍ରାୟ ୬ଟା ୫୦ ମିନିଟ୍। ପଶ୍ଚିମବଙ୍ଗର ସାଲିମାରରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ୍ ଘଣ୍ଟାପ୍ରତି ପ୍ରାୟ ୧୩୦ କିଲୋମିଟର ବେଗରେ ବାହାନଗା ବଜାର ଷ୍ଟେସନ୍ ନିକଟରେ ମାଡ଼ି ଆସୁଥିଲା। ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳର ସ୍ୱପ୍ନରେ ବୁଡ଼ିଥିଲେ। କେହି ଘରକୁ ଫେରୁଥିଲେ, କେହି ନୂଆ ଯାତ୍ରାର ଆରମ୍ଭ କରୁଥିଲେ। କିନ୍ତୁ କିଛି ସେକେଣ୍ଡ ଭିତରେ ସବୁକିଛି ଓଲଟପାଲଟ ହୋଇଗଲା।
ରେଳ ଇତିହାସର ସବୁଠୁ ଭୟଙ୍କର ଅଧ୍ୟାୟ
ସିଗନାଲିଂ ତ୍ରୁଟି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ମୁଖ୍ୟ ଲାଇନ୍ ପରିବର୍ତ୍ତେ ଲୁପ୍ ଲାଇନ୍କୁ ପ୍ରବେଶ କରି ସେଠାରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଭୟଙ୍କର ଧକ୍କାରେ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇ ପାଖ ଟ୍ରାକ୍ ଉପରକୁ ଛିଟିକି ପଡ଼ିଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ ସେହି ବଗିଗୁଡ଼ିକ ସହ ଧକ୍କା ହୋଇ ଦ୍ୱିତୀୟ ବିପର୍ଯ୍ୟୟ ସୃଷ୍ଟି କରିଥିଲା।
ତା’ ପରେ ଯାହା ଦେଖାଯାଇଥିଲା, ତାହା କୌଣସି ଯୁଦ୍ଧକ୍ଷେତ୍ରଠାରୁ କମ୍ ନଥିଲା। ଚାରିଆଡ଼େ ରକ୍ତ, ଭଙ୍ଗା ବଗି, ଆଉ ବଞ୍ଚିବା ପାଇଁ ଆକୁଳ ଆର୍ତ୍ତନାଦ। ବଗି ତଳୁ ଶୁଭୁଥିଲା ‘ବଞ୍ଚାଅ, ବଞ୍ଚାଅ’ର କରୁଣ ଶବ୍ଦ। ଆଖି ପିଛୁଳାକେ ୨୯୬ ଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା, ଆଉ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
କିନ୍ତୁ ଏହି ମହାବିପତ୍ତି ଭିତରେ ମାନବିକତାର ଏକ ଅଦ୍ଭୁତ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ଖବର ପାଇବାମାତ୍ରେ ବାହାନଗା ଓ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ନିଜ ଜୀବନକୁ ବାଜି ଲଗାଇ ସେମାନେ ଭଙ୍ଗା ବଗି ଭିତରୁ ଆହତଙ୍କୁ ଉଦ୍ଧାର କରିଥିଲେ। ଅଟୋ, ବାଇକ୍, କାର୍, ଆମ୍ବୁଲାନ୍ସ ଯାହା ମିଳିଲା ସେଥିରେ ଆହତଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ। ପରେ ଏନଡିଆରଏଫ୍, ଓଡ୍ରାଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।
ମୃତ ଯାତ୍ରୀଙ୍କ ପରିଚୟକୁ ନେଇ ଉଠିଥିଲା ପ୍ରଶ୍ନ
ବାହାନଗା ଟ୍ରେନ ଟ୍ରାଜେଡିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଟ୍ରେନ ଦୁଇଟିର ଜେନେରାଲ ବଗି। ଯେଉଁ ବଗିରେ କିଏ ଟିକେଟ କରି ଚଢ଼ନ୍ତି ତ ଆଉ କେହି କେହି ବିନା ଟିକେଟରେ। ସେହି ଯାତ୍ରୀମାନଙ୍କ ପରିଚୟ ଜାଣିବା ପାଇଁ ପ୍ରଶାସନକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
କେବଳ ସେତିକି ନୁହେଁ ଏହି ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ଯାତ୍ରୀଙ୍କ ମୃତଦେହ ଚିହ୍ନିବା ଅବସ୍ଥାରେ ନଥିଲା। କିଛି ଯାତ୍ରୀଙ୍କ ଶରୀର ଦୁର୍ଘଟଣାରେ ମାଂସ ପିଣ୍ଡୁଳା ସଦୃଶ ମଧ୍ୟ ହୋଇଯାଇଥିଲା।
ଶବ କୁଢ଼ ଭିତରୁ ଖୋଜା ଚାଲିଥିଲା ପରିଚୟ
ବାହାନଗା ଟ୍ରେନ ଟ୍ରାଜେଡି ଉଜାଡ଼ି ଦେଇଥିଲା ଅନେକ ଲୋକଙ୍କ ହସଖୁସିର ସଂସାର। କିଏ ଦୀର୍ଘ ଦିନ ପରେ ପରିବାର ପାଖକୁ ଫେରୁଥିଲା ତ କିଏ ଘରୁ ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ବାହାରୁଥିଲା। କିଏ ବା ଜାଣିଥିଲା ଏ ଯାତ୍ରା ଏତେ ଦୁଃଖଦାୟକ ହେବ ବୋଲି। ଏ ଯାତ୍ରା ମହାଯାତ୍ରା ପାଲଟିବ ବୋଲି।
ଦୁର୍ଘଟଣା ପରେ ୨୯୦ ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ହୋଇପଡ଼ିଥିବା ମୃତଦେହ ମଧ୍ୟରେ ପରିବାର ଲୋକେ ନିଜ ଆତ୍ମୀୟନଙ୍କୁ ଖୋଜୁଥିବାର ସେହି ଦୃଶ୍ୟ ବେଶ ହୃଦୟବିଦାରକ ଥିଲା।
କରମଣ୍ଡଳ ଚାଲୁଛି...ହେଲେ ଯନ୍ତ୍ରଣା ରହିଛି
ଆଜି ରେଳଧାରଣା ସଜାଡ଼ି ହୋଇଯାଇଛି। କରମଣ୍ଡଳ ପୁଣି ସେହି ଟ୍ରାକ୍ ଉପରେ ଦୌଡ଼ୁଛି। ବାହାନଗା ଷ୍ଟେସନ୍ରେ ଜୀବନ ପୁଣି ସ୍ୱାଭାବିକ ହୋଇଛି। କିନ୍ତୁ ଯେଉଁ ପରିବାର ସେଦିନ ନିଜ ପ୍ରିୟଜନଙ୍କୁ ହରାଇଥିଲେ, ସେମାନଙ୍କ ପାଇଁ ସମୟ ଏବେ ବି ସେହି ୨ ଜୁନ୍ ୨୦୨୩ରେ ଅଟକି ରହିଛି।
ତିନି ବର୍ଷ ପରେ ବି ବାହାନଗାର ପବନରେ ମିଶି ରହିଛି ସେହି ଆର୍ତ୍ତନାଦ। ରେଳଧାରଣା ନୀରବ ହୋଇପାରେ, କିନ୍ତୁ ସେଦିନର ଯନ୍ତ୍ରଣାର କାହାଣୀ ଆଜି ବି ପ୍ରତ୍ୟେକ ହୃଦୟରେ ଜୀବନ୍ତ ହୋଇରହିଛି।