ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନୋତ୍ତର ଭାରତବର୍ଷରେ ଯେଉଁ କେତେଜଣ ମହାମନୀଷୀ ନିଜର ସାଧନା, ନିଷ୍ଠା, ଅଧ୍ୟବସାୟ ଓ କଠୋର ତପସ୍ୟା ବଳରେ ସାଂପ୍ରତିକ ସମାଜ ତଥା ରାଜନୈତିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତରତ୍ନ ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକର ଥିଲେ ଅନ୍ୟତମ ।
ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସ୍ବାଧୀନତା ସଂଗ୍ରାମର ସବୁଠାରୁ ନିର୍ଣ୍ଣାୟକ ସମୟ ଚାଲିଥିବାବେଳେ ଆମ୍ବେଦକର ଏକ ଭିନ୍ନ ଧରଣର ଲଢ଼େଇରେ ବ୍ୟାପୃତ ଥିଲେ। ଏହା ଥିଲା ଭାରତୀୟ ସମାଜର ସବୁଠାରୁ ନିଷ୍ପେଷିତ ବର୍ଗଙ୍କ ମୁକ୍ତି ସଂଗ୍ରାମ। ମଧ୍ୟ ପ୍ରଦେଶର ଏକ ମରାଠୀ ପରିବାରରେ ପିତାମାତାଙ୍କ ୧୪ତମ ତଥା ଶେଷ ସନ୍ତାନ ରୂପେ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ହୋଇଥିଲେ। ତାଙ୍କ ଜୀବନ ଯେତିକି ସଂଘର୍ଷମୟ ସେତିକି ଗରିମାମୟ। ସେ ଛୋଟ ଥିବା ବେଳେ ମାଆ ଆରପାରିକୁ ଚାଲିଗଲେ। ଦରିଦ୍ର ଓ ଅଛୁଆଁ ଜାତିର ହୋଇଥିବାରୁ ସେ ଶୈଶବରୁ ସାମାଜିକ-ଅର୍ଥନୈତିକ ପକ୍ଷପାତର ସମ୍ମୁଖୀନ ହୋଇଥିଲେ। ସ୍କୁଲ୍ରେ ଉଚ୍ଚ ଜାତିର ସହପାଠୀଙ୍କ ଠାରୁ ତାଙ୍କୁ ଦୂରରେ ବସିବାକୁ ପଡୁଥିଲା। ବମ୍ବେ ବିଶ୍ୱବିଦ୍ୟାଳୟର ଏଲ୍ଫିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରିବା ପରେ ଆମ୍ବେଦକର କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ଅଧ୍ୟୟନ କରିଥିଲେ ।
ଅର୍ଥନୀତି ଏବଂ ଆଇନ କ୍ଷେତ୍ରରେ ଆମ୍ବେଦକରଙ୍କ ପାରଦର୍ଶୀତା ତାଙ୍କୁ ଦଳିତଙ୍କ ଅଧିକାର ପାଇଁ ଜଣେ ଶକ୍ତିଶାଳୀ ଆଡଭୋକେଟ୍ ହେବାରେ ସାହାଯ୍ୟ କରିଥିଲା ଏବଂ ଜାତି ଭେଦଭାବ ଦୂର କରିବା ତଥା ଭାରତରେ ଦଳିତ ସମ୍ପ୍ରଦାୟର ଜୀବନରେ ଉନ୍ନତି ଆଣିବା ପାଇଁ ସେ ନିରନ୍ତର କାର୍ଯ୍ୟ କରିଥିଲେ। ପତ୍ରିକା ପ୍ରକାଶନ, ଦଳିତମାନଙ୍କ ପାଇଁ ରାଜନୈତିକ ଅଧିକାର ଏବଂ ସାମାଜିକ ସ୍ୱାଧୀନତା ପାଇଁ ସମର୍ଥନ କରିବା ଏବଂ ଭାରତ ରାଜ୍ୟ ପ୍ରତିଷ୍ଠାରେ ଯୋଗଦାନ କରିବାରେ ସେ ସମ୍ପୃକ୍ତ ହୋଇଥିଲେ । ୧୯୫୬ ମସିହାରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ।
ତାଙ୍କ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ମଧ୍ୟ ଆମ୍ବେଦକର ତାଙ୍କ ଆଦର୍ଶରେ ପ୍ରତିବଦ୍ଧ ରହିଥିଲେ ଏବଂ ଦଳିତଙ୍କ ଅଧିକାର ପାଇଁ ନିରନ୍ତର ସଂଗ୍ରାମ କରିଥିଲେ। ତାଙ୍କର ପ୍ରେରଣାଦାୟକ କାହାଣୀ ସମଗ୍ର ବିଶ୍ବ ର ଲୋକଙ୍କୁ ପ୍ରେରଣା ଯୋଗାଇଥାଏ ।