ଭୁବନେଶ୍ୱର: ବିଜୁ ଜନତା ଦଳକୁ ପୁଣି ଏକ ଶକ୍ତ ଝଟକା ଲାଗିଛି । ପୁଣି ଜଣେ ଅସନ୍ତୁଷ୍ଟ ନେତା ଦଳ ଛାଡ଼ିଛନ୍ତି । ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ତାଙ୍କର ଇସ୍ତଫା ଦେବାର କାରଣ ଜଣା ପଡ଼ି ନାହିଁ ।
ଇସ୍ତଫା ଦେବା ପରେ ପ୍ରକାଶ ବେହେରା କହିଛନ୍ତି ଯେ ଲୋକଙ୍କ ସେବା, ସମାଜ ସେବା, ଦେଶ ସେବାକୁ ସବୁବେଳେ ଗୁରୁତ୍ୱ ଦେଇଛି । ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ସମର୍ଥକଙ୍କ ସହିତ ଆଲୋଚନା କରାଯିବ । ସେମାନେ ଯାହା ନିଷ୍ପତ୍ତି ନେବେ ତାହା ତାଙ୍କର ନିଷ୍ପତି ହେବ ବୋଲି ପ୍ରକାଶ ବେହେରା କହିଛନ୍ତି ।
୨୦୧୪ ମସିହାରେ ପ୍ରକାଶ ବେହେରା ସାଲେପୁର ଆସନରୁ କଂଗ୍ରେସରୁ ଟିକେଟ ପାଇ ବିଜୟୀ ହୋଇଥିଲେ । ଏହା ପରେ ସେ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ । ଏହା ପରେ ସେ ଦଳ ଡେଇଁଥିଲେ । ଟିକେଟ୍ ଲୋଭରେ ପୁଣି ସେ ବିଜେଡ଼ିରେ ଯୋଗ ଦେଇଥିଲେ । ବିଜେଡ଼ିରୁ ସେ କଟକ-ବାରବାଟୀ ଆସନରୁ ଟିକେଟ୍ ପାଇ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେ କଂଗ୍ରେସର ସୋଫିଆ ଫିର୍ଦ୍ଦୋସଙ୍କ ଠାରୁ ହାରି ଯାଇଥିଲେ ।