ଯାଜପୁର: ପୁଣି ଥରେ ବିଜୁ ଜନତା ଦଳର କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଲୋକଙ୍କୁ ଦାଦାବଟି ମାଗିବା ଏବଂ ସୋସିଆଲ ମିଡ଼ିଆରେ ଧମକ ଦେବା ନେଇ ଦୁଇ ୨ ବିଜେଡି କର୍ମୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ଫଳରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଛି । ଦୁଇ କର୍ମକର୍ତ୍ତା ହେଲେ ଯାଜପୁର ଜିଲ୍ଲାର ପୂର୍ବତନ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଧଳ ଓ ଚହଟା ଗ୍ରାମର ଛାତ୍ର ବିଜେଡି କର୍ମୀ ମାନସ ରଞ୍ଜନ ମହାନ୍ତି ।
ପୂର୍ବତନ ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଧଳ ଓ ମାନସ ରଞ୍ଜନ ମହାନ୍ତି ଦେଉଳି ଗ୍ରାମର ବିଶ୍ୱଜିତ ସ୍ୱାଇଁଙ୍କୁ ବଟି ମାଗିବା ସହ ସୋସିଆଲ ମିଡିଆରେ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ବିଶ୍ୱଜିତ ସ୍ୱାଇଁ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଦୁଇ କର୍ମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଏ ନେଇ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଅବଗର ହେବା ପରେ ଥାନାରେ ପହଞ୍ଚି ପୁଲିସ ସହ ଆଲୋଚନା କରିଥିଲେ । ଏହା ପରେ ପୁଲିସ ଦଇ ଜଣଙ୍କୁ ନୋଟିସ ଦେଇ ଛାଡି ଥିବା ଜଣାପଡ଼ିଛି ।