ଭୁବନେଶ୍ୱର: ଆମେରିକା ରାଜନୀତିରେ ଭାରତୀୟ ବଂଶୋଦ୍ଭବ ବେଶ ସକ୍ରିୟ ରହିଛନ୍ତି । କମଳା ହାରିସ ରାଷ୍ଟ୍ରପତି ଦୌଡ଼ରେ ଥିବାବେଳେ ତାଙ୍କ ପ୍ରଚାର ମଙ୍ଗୁଆଳ ସାଜିଛନ୍ତି ଜଣେ ଭାରତୀୟ, ସେ ପୁଣି ଓଡ଼ିଆ ପୁଅ । ଓଡ଼ିଶାର ସମୟ ସାହୁ କମଳା ହାରିସଙ୍କ ପାଇଁ ଡେମୋକ୍ରାଟିକ୍ ଦଳ ପକ୍ଷରୁ ପ୍ରଚାର କରୁଛନ୍ତି । ମାତ୍ର ୨୧ବର୍ଷ ବୟସରେ ଆମେରିକା ରାଜନୀତିରେ ନିଜର ସ୍ଥାନ ନେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ମାନସ ସାହୁଙ୍କ ପୁଅ ହେଉଛନ୍ତି ସମୟ ସାହୁ । ତାଙ୍କ ବାପା ରାୟଗଡ଼ା ଜିଲ୍ଲାରେ ଚାକିରି କରିବା ପରେ ଆମେରିକାରେ ଚାକିରି କରିବାର ସୁଯୋଗ ପାଇଥିଲେ । ଏହା ପରେ ସେ ସେଠାକାର ଜଣେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ । ନ୍ୟୁ ହାମ୍ସ୍ପେୟାର ରାଜ୍ୟର ନାସୁଆ ସହରରେ ରହୁଛନ୍ତି । ସେ ଏବେ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି । ଖାଲି ସେତିକି ନୁହେଁ ଡେମୋକ୍ରାଟିକ୍ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି ।
ସମୟ ସାହୁ ୨୦୦୮ ମସିହାରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇ ରାଜନୀତିକୁ ଆସିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ସ୍କୁଲରେ ପଢ଼ୁଥିବାବେଳେ ରାଜନୀତିରେ ପାଦ ଥାପିଥିଲେ । ସମୟ ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ଵ ନେଇଥିଲେ । ଏହା ପରେ ୨୦୨୦ ମସିହାରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ । ତାଙ୍କର ରାଜନୈତିକ ଦକ୍ଷତା ଦେଖି ୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍ ଅଫ୍ ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା ।
ସମୟଙ୍କୁ ତାଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି । ଖାଲି ସେତିକି ନୁହେଁ ପରିବାର ଥିବା ଏକ ରେସ୍ତୋରାଁକୁ ମଧ୍ୟ ସେ ଚଳାଉଛନ୍ତି ।