ଭୁବନେଶ୍ୱର: ଆଜି ପୁଣି ଅଭିନବ ଉପାୟରେ ବିଧାନସଭାରେ ପ୍ରତିବାଦ କରିଛି ବିରୋଧୀ କଂଗ୍ରେସ । କଳା ଡ୍ରେସ୍ ପନ୍ଧିବା ସହିତ ଘଣ୍ଟା ବାଡ଼େଇ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଶୁକ୍ରବାର କଂଗ୍ରେସ ବିଧାୟକମାନେ କଳା କପଡ଼ା ପିନ୍ଧିବା ସହିତ ହାତରେ ଘଣ୍ଟା, ତୁରୀ ଧରି ଗୃହ ଭିତରକୁ ପ୍ରବେଶ କରିଥିଲେ । ସେହିପରି ସାତ ଦିନର ନିଲମ୍ବନ ଆଦେଶ ସମ୍ପୂର୍ଣ୍ଣ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାକୁ ଆସିବାକୁ ଅନୁମତି ପାଇଥିଲେ । ସାଢ଼େ ୧୦ଟାବେଳେ ପ୍ରଶ୍ନୋତ୍ତର କାଳ ଆରମ୍ଭ ହୋଇଥିଲା । ବାଚସ୍ପତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉତ୍ତର ରଖିବାକୁ କହିଥିଲେ । ହେଲେ ପୂର୍ବ ପ୍ରସ୍ତୁତି ସହିତ ଗୃହକୁ ଆସିଥିବା କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନାକୁ ନେଇ ହଙ୍ଗାମା ଆରମ୍ଭ କରିଦେଇଥିଲେ । ବିରୋଧୀ ବିଧାୟକମାନେ ସିଧାସଳଖ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସିଥିଲେ ଏବଂ ଘଣ୍ଟ, ତୁରୀ, ବଂଶୀ, ଝାଞ୍ଜ, ଗିନି ଆଦି ବାଦ୍ୟଯନ୍ତ୍ର ବଜାଇ ଗୃହରେ କମ୍ପନ ସୃଷ୍ଟି କରିଥିଲେ । ତାରା ବାହିନୀପତି ବାଚସ୍ପତିଙ୍କ ମୁହଁ ସାମ୍ନାରେ ଘଣ୍ଟ ବାଡ଼େଇଥିଲେ । ଫଳରେ ମନ୍ତ୍ରୀଙ୍କ ଉତ୍ତର ଶୁଣିବା ସମ୍ଭବ ହୋଇପାରି ନ ଥିଲା । ବାଚସ୍ପତି ସମସ୍ତ ସଦସ୍ୟକୁ ଆସନକୁ ଫେରି ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ । ବାଚସ୍ପତି ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ସ୍ଥଗିତ ରଖିଥିଲେ । ଯଦ୍ୱାରା ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା ।
ଏହା ପରେ ସମସ୍ତ ବିଧାୟକମାନେ ବାଦ୍ୟଯନ୍ତ୍ର ବଜାଇ ବିଧାନସଭା ପରିକ୍ରମା କରିଥିଲେ । ମହିଳା ନିର୍ଯ୍ୟାତନା ମାମଲାରେ ଯେ ପର୍ଯ୍ୟନ୍ତ ସରକାର ଗୃହ କମିଟି ଗଠନ ନ କରିବେ ସେ ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ କହିଛି । ଗତକାଲି ହ୍ୱୁସିଲ୍ ବଜାଇ କଂଗ୍ରେସ ପ୍ରତିବାଦ କରିଥିଲା । ଫଳରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଥିଲା ।