କୋଲକାତା: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦଙ୍କ ବାସଭବନ ଉପରକୁ ବୋମା ମାଡ଼ କରାଯାଇଛି । ବିଜେପି ନେତା ଅର୍ଜୁନ ସିଂହଙ୍କର ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନା ଜିଲ୍ଲାରେ ଅନ୍ତର୍ଗତ ଜଗଦ୍ଦଲରେ ଥିବା ବାସଭବନ ଉପରକୁ ଦେଶୀ ଫିଙ୍ଗିବା ସହିତ ଗୁଳି ମଧ୍ୟ ଚଳାଯାଇଛି । ପାଖାପାଖି ୧୫ ବୋମା ଏବଂ ଡର୍ଜନରୁ ଅଧିକ ଗୁଳି ମାଡ଼ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଅର୍ଜୁନ ସିଂହଙ୍କ ସୂଚନା ମୁତାବକ, ଶୁକ୍ରବାର ସକାଳୁ ତାଙ୍କ ଘର ଉପରକୁ ହଠାତ ବୋମା ମାଡ଼ କରାଯାଇଥିଲା । ଏହା ସହିତ ଗୁଳି ମଧ୍ୟ କରାଯାଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ସେ ଘରୁ ବାହାରକୁ ବାହାରି ଆସିଥିଲେ । ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବାବେଳେ ତାଙ୍କୁ ସୁରକ୍ଷା ଦେଉଥିବା ଜଣେ ସିଆଇଏସଏଫଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି । ସେ ଏ ନେଇ ତାଙ୍କର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି । ସେ ଏଥିପାଇଁ ସ୍ଥାନୀୟ ପୁଲିସ, ତୃଣମୂଳ କଂଗ୍ରେସ ନେତାଙ୍କ ପୁଅ ନାମିତ ସିଂହଙ୍କୁ ଦାୟୀ କରିଛନ୍ତି । ଟିଏମସି ନେତାଙ୍କ ପୁଅଙ୍କ ଇଙ୍ଗିତରେ ବୋମା ମାଡ଼ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ପୁଲିସ ଏବେ ଗୁଣ୍ଡାରାଜ ଚଳାଇଥିବା ସେ କହିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ।
ସେ ‘ଏକ୍ସ’ରେ କହିଛନ୍ତି, “ଆଜି ସକାଳେ ଯେତେବେଳେ ସମସ୍ତେ ନବରାତ୍ରୀ ପୂଜା ପାଇଁ ବ୍ୟସ୍ତ ଥିଲେ, ସେତେବେଳେ ସ୍ଥାନୀୟ ପୁଲିସର ତତ୍ୱାବଧାନରେ ଏନଆଇଏ ମାମଲାରେ ଅଭିଯୁକ୍ତ ତଥା ସ୍ଥାନୀୟ ତୃଣମୂଳ କଂଗ୍ରେସର ନେତାଙ୍କ ପୁଅ ନାମିତ ସିଂଙ୍କ ଇଙ୍ଗିତରେ କିଛି ଜିହାଦି ଏବଂ ଗୁଣ୍ଡାମାନେ ଆସି ତାଙ୍କ ଘର ତଥା କାର୍ଯ୍ୟାଳୟ ଉପରକୁ ବୋମା ମାଡ଼ କରିଥିଲେ । ଗଣ୍ଡାମାନେ ଫାୟାରିଂ କରୁଥିବାବେଳେ ପୁଲିସ ମୁକ ସାକ୍ଷୀ ପାଲଟିଥିଲା । ପାଖାପାଖି ୧୫ ବୋମା ଏବଂ ଡର୍ଜନରୁ ଅଧିକ ଗୁଳି ମାଡ଼ କରାଯାଇଥିଲା । ପଶ୍ଚିମ ବଙ୍ଗ ପୁଲିସ ଟିଏମସିର ଏକ କାଠକଣ୍ଢେଇ ହୋଇସାରିଛି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ”।