କଟକ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରୀୟ ନେତାମାନଙ୍କର ଓଡ଼ିଶାକୁ ଘନଘନ ଗସ୍ତ ହେଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ବୁଧବାର ସନ୍ଧ୍ୟାରେ କଟକରେ ରୋଡ ଶୋ’ କରିବେ । ଏଥି ସହିତ ଗଂଜାମ ଜିଲ୍ଲାର ଆସିକା ଓ ବୌଦ୍ଧରେ ଜନସଭାକୁ ସମ୍ବୋଧିତ କରିବେ ।
କେନ୍ଦ୍ରମନ୍ତ୍ରୀ ଶାହ ଦିନ ୧୨ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ସୋରଡା ଯିବେ । ଦିନ ୧ଟା ୩୦ରେ ସୋରଡ଼ାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ । ସେହିପରି ଅପରାହ୍ଣ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ବିଜୟ ସଂକଳ୍ପକୁ ସମ୍ବୋଧିତ କରିବେ । ଏହା ପରେ ଶ୍ରୀ ଶାହ କଟକ ଅଭିମୁଖେ ଯିବେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ କଟକରେ ରୋଡ୍ ଶୋ’ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ୩୦ରେ ହେବ । ଏହି ରୋଡ ଶୋ’ ଗୋପବନ୍ଧୁ ବାଗ୍ରୁ ଆରମ୍ଭ ହେବ । ବକ୍ସବଜାର ଦେଇ ଆଗକୁ ବଢ଼ିବ । ଏହି ଶୋ’ ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବକ୍ସିବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର ଓ ଶେଖ୍ ବଜାର ଦେଇ ଚଣ୍ଡୀମନ୍ଦିରରେ ପହଞ୍ଚିବ
ସୂଚନାଯୋଗ୍ୟ, ଶ୍ରୀ ଶାହଙ୍କ କାର୍ଯ୍ୟକ୍ରମ ପୂର୍ବରୁ ରାଉରକେଲା ଓ କଣ୍ଟାବାଞ୍ଜି ପାଇଁ ସ୍ଥିର ହୋଇଥିଲା ।