ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହୋଇ ସାରିଛି । ବିଜେପି ହରିୟାଣାରେ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ଅନ୍ୟପଟେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଓ ଉମର ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ପାର୍ଟି ବାଜିମାତ କରିଛି । ରାଜନୈତିକ ସମୀକ୍ଷକ ଏହି ପରିଣାମର ବିଶ୍ଳେଷଣ ଆରମ୍ଭ କରି ଦେଇଥିବା ବେଳେ କଂଗ୍ରେସ ହରିୟାଣା ପରାଜୟକୁ ସହଜରେ ଗ୍ରହଣ କରି ପାରିନାହିଁ । ଏହି କ୍ରମରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପରିଣାମ ଉପରେ ପ୍ରଥମ ଥର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ହରିୟାଣାରେ ମିଳିଥିବା ପରାଜୟକୁ ଅପ୍ରତ୍ୟାଶିତ କହିଛନ୍ତି । ଅନ୍ୟପଟେ ଜମ୍ମୁ-କାଶ୍ମୀରବାସୀଙ୍କୁ ବିଜୟ ପାଇଁ କୃତଜ୍ଞତା ଜଣାଇଛନ୍ତି ।
ଋାହୁଲ ଗାନ୍ଧୀ ବୁଧବାର ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି, ଜମ୍ମୁ-କାଶ୍ମୀରବାସୀଙ୍କୁ ହୃଦୟରୁ ଧନ୍ୟବାଧ । ରାଜ୍ୟରେ ଇଣ୍ଡିଆ ମେଣ୍ଟର ବିଜୟ ସମ୍ବିଧାନର ବିଜୟ । ଗଣତାନ୍ତ୍ରିକ ସ୍ୱାଭିମାନର ବିଜୟ । ହରିୟାଣାର ଫଳାଫଳ ଉପରେ ରାହୁଲ ଲେଖିଛନ୍ତି, ଆମେ ହରିୟାଣାର ଅପ୍ରତ୍ୟାଶିତ ପରିଣାମର ବିଶ୍ଳେଷଣ କରୁଛୁ । ଅନେକ ବିଧାନସଭା ମଣ୍ଡଳିରୁ ଆସୁଥିବା ଅଭିଯୋଗଗୁଡିକୁ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇବୁ ।
ଋାହୁଲ ହରିୟାଣାବାସୀଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତି, ହରିୟାଣାବାସୀଙ୍କୁ ସେମାନଙ୍କର ସମର୍ଥନ ଓ କର୍ମକର୍ତ୍ତାଙ୍କୁ ସେମାନଙ୍କ ଅକଥ ପରିଶ୍ରମ ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି । ସାମାଜିକ ଓ ଆର୍ଥିକ ନ୍ୟାୟ ପାଇଁ ଏହି ସଂଘର୍ଷ ଜାରି ରହିବ । ଆପଣଙ୍କ ସ୍ୱରକୁ ଆମେ ଉଠାଇ ଚାଲିବୁ ।
ସୂଚନାଯୋଗ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ଅନୁଷ୍ଠିତ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବିଜୟ ହାସଲ କରିଛି । ଇଣ୍ଡିଆ ମେଣ୍ଟ ୪୮ ସିଟ୍ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି । ବିଜେପିକୁ ୨୯ ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି । ହରିୟାଣାର ୯୦ ଆସନରୁ ବିଜେପି ୪୮ଟି ଜିତି କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି । କଂଗ୍ରେସ ୩୭ ଆସନରେ ସୀମିତ ରହିଛି ।