ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସାଂସଦ ତଥା କଂଗ୍ରେସର ଦଳିତ ନେତା ଉଦିତ ରାଜ ରାମ ମନ୍ଦିର ଉପରେ ବୁଲଡୋଜର ଚଢାଇଦେବା ବୟାନ ଦେଇ ପୁଣି ଥରେ ନୂତନ ବିବାଦକୁ ଜନ୍ମ ଦେଇଛନ୍ତି । ଅଯୋଧ୍ୟାରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଘଟଣାକୁ ନେଇ ସେ ଏହି ଟିପ୍ପଣୀ କରିଛନ୍ତି । ସେ ଦାବି କରିଛନ୍ତି ଯେ, ଉକ୍ତ ପୀଡିତା ରାମ ମନ୍ଦିରର ସଫେଇ କର୍ମଚାରୀ । ତେବେ ଅଯୋଧ୍ୟା ପୋଲିସର କହିବା କଥା ଘଟଣାକୁ ଭୁଲ୍ ଢଙ୍ଗରେ ଉପସ୍ଥାପିତ କରାଯାଉଛି । ଉଦିତ ରାଜଙ୍କ ପୋଷ୍ଟରେ ଅନେକ ଲୋକ ଆପତ୍ତି ପ୍ରକାଶ କରିଛନ୍ତି ।
ପୂର୍ବତନ ସାଂସଦ ଉଦିତ ରାଜ ଲେଖିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଛି । ରାମ ମନ୍ଦିର ଉପରେ ବି କଣ ବୁଲଡୋଜର ଚାଲିବ ? କଂଗ୍ରେସ ନେତାଙ୍କ ଏହି ବୟାନ ଉପରେ ସାମାଜିକ ଗଣମାଧ୍ୟମରେ ୟୁଜର୍ସ କ୍ଷୁବ୍ଧ ହୋଇ ଉଠିଛନ୍ତି ଏବଂ ଅଯୋଧ୍ୟା ପୋଲିସଠୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜଣେ ୟୁଜର ଅଯୋଧ୍ୟା ପୋଲିସକୁ ଟ୍ୟାଗ କରି ଲେଖିଛନ୍ତି, ଏହି ବ୍ୟକ୍ତି ମିଥ୍ୟା ଖବର ପ୍ରସାର କରି ଜନତାଙ୍କୁ ଉସୁକାଇବାକୁ ଏବଂ ମାହୋଲ ବିଗାଡିବାକୁ ଚେଷ୍ଟା କରୁଛନ୍ତି । ଦୟା କରି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
କୁହାଯାଉଛି ଏହି ଦୁଷ୍କର୍ମ ଘଟଣା ରାମ ମନ୍ଦିରଠୁ ୨୦ କିଲୋମିଟର ଦୂରରେ ହୋଇଛି । ଆଉ ଏଥିରେ କିଛି ପରିଚିତ ଲୋକ ସାମିଲ ଅଛନ୍ତି । ତେଣୁ ଲୋକେ ଉଦିତ ରାଜଙ୍କ ପୋଷ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଏମିତି ମିଥ୍ୟା ଖବର ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅଯୋଧ୍ୟା ପୋଲିସ ନିଜ ପ୍ରତିକ୍ରିୟାରେ କହିଛି ଯେ, କେଣ୍ଟ ଥାନା ଅନ୍ତର୍ଗତରେ ଏହି ଦୁଷ୍କର୍ମ ଘଟଣା ଘଟିଛି । ଅଯୋଧ୍ୟା ପୋଲିସ ଏହି ଗୁଜବ ଖବରକୁ ଖଣ୍ଡନ କରୁଛି । ପୋଲିସ ଅନୁଯାୟୀ, ପୀଡିତା ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ଦେଇଛି ଯେ, ତାରି ପରିଚିତ ବନ୍ଧୁମାନେ ହିଁ ତା ସହିତ ଏମିତି ଦୁରାଚାର କରିଛନ୍ତି । ସେପ୍ଟେମ୍ବର ୨ ତାରିଖ କେସ୍ ରୁଜୁ ହୋଇଛି । ଘଟଣାରେ ଦୁଇ ଜଣ ନାବାଳିକା ସମେତ ୬ ଜଣ ଅଭିଯୁକ୍ତ ଅଛନ୍ତି ।