ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂ ବିଟୁ। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି ବିଟୁ। ଏପରିକି ରାହୁଲଙ୍କୁ ସେ ଦେଶର ସବୁଠୁ ବଡ଼ ଶତ୍ରୁ ବୋଲି କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ବିଟୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ଶିଖମାନଙ୍କୁ ଭାଗ କରିବାକୁ ଚେଷ୍ଟା କରିଛନ୍ତି, ଶିଖମାନେ କୌଣସି ଦଳ ସହ ଜଡିତ ନୁହଁନ୍ତି। ତଥାପି ସେ ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ରାହୁଲ ଗାନ୍ଧୀ ଦେଶର ଏକ ନମ୍ବର ଆତଙ୍କବାଦୀ। ଆମେରିକାରେ ଶିଖମାନଙ୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ସମ୍ପର୍କରେ ବିଟୁ ଏହି ବିବାଦୀୟ କଥା କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ବିଟୁ ଭାଗଲପୁରରେ କହିଛନ୍ତି, ରାହୁଲ ଗାନ୍ଧୀ ଭାରତୀୟ ନୁହନ୍ତି।ସେ ନିଜର ଅଧିକାଂଶ ସମୟ ବାହାରେ ଅତିବାହିତ କରିଛନ୍ତି। ସେ ନିଜ ଦେଶକୁ ଅଧିକ ଭଲ ପାଆନ୍ତି ନାହିଁ। ବିଦେଶ ଯାଇ ପ୍ରତିଟି କଥାକୁ ଭୁଲ୍ ଭାବେ ଚିତ୍ରଣ କରନ୍ତି। ମୁଁ ଏଠାରେ ଠିଆ ହୋଇଥିବା ଶିଖଙ୍କୁ ଚ୍ୟାଲେଞ୍ଜ କରୁଛି ଯିଏ କୌଣସି ଦଳ ସହ ଜଡିତ ନୁହଁନ୍ତି। କେହି ଜଣେ ତାଙ୍କୁ କହିବ କି କଡା ପିନ୍ଧି ପାରିବ ନାହିଁ, ତୁମେ ପଗଡି ପିନ୍ଧି ପାରିବ ନାହିଁ, ତୁମେ ଗୁରୁଦ୍ୱାରକୁ ଯାଇପାରିବ ନାହିଁ। ଯଦି ଜଣେ ଶିଖ ଏଠାରେ ଠିଆ ହୋଇ ଏହା କହିଦେବ ତେବେ ମୁଁ ବର୍ତ୍ତମାନ ବିଜେପି ଛାଡି ଦେବି।
ସେ ଏହା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଠାରେ ଗମ୍ଭୀରତା ନାହିଁ। ରାହୁଲ ଗାନ୍ଧୀ ହୁଅନ୍ତୁ କି ତାଙ୍କ ପାର୍ଟିର ଅନ୍ୟ ନେତା ସମସ୍ତେ ଦେଶକୁ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି। କଂଗ୍ରେସକୁ ଦେଶର ସୁରକ୍ଷା ଓ କୋଟି କୋଟି ଜନତାଙ୍କ ହିତକୁ ନେଇ ଆଦୌ ଚିନ୍ତିତ ନୁହେଁ। କେବଳ ଭୋଟ୍ ପାଇଁ କଂଗ୍ରେସ ସମାଜରେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି।