ପାଟନା: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସମସ୍ୟା ପୁଣି ଥରେ ବଢିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ମାର୍ଚ୍ଚ ୧୯ରେ ଚାକିରି ପାଇଁ ଜମି ମାମଲାରେ ପଚରାଉଚରା ପାଇଁ ଡକାଇଛି।
ଏହି ଘଟଣାରେ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି। ସେମାନଙ୍କ ବୟାନ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅଧୀନରେ ରେକର୍ଡ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରସାଦ ଓ ତାଙ୍କ ପରିବାର ସଦସ୍ୟ ଏଜେନ୍ସି ନିକଟରେ ହାଜର ହେବେ ନାହିଁ।
ଗତବର୍ଷ ଇଡି ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ, ତାଙ୍କ ଝିଅ ମିସା ଭାରତୀ ଓ ହେମା ଯାଦବଙ୍କ ସମେତ ତାଙ୍କ ପରିବାରର ସଦସ୍ୟଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ୧୧ତାରିଖରେ ତେଜ ପ୍ରତାପ ଓ ହେମା ଯାଦବଙ୍କୁ ମଧ୍ୟ ଡକାଯାଇଥିଲା। ତେଜପ୍ରତାପ ଯାଦବ ଓ ହେମା ଯାଦବଙ୍କୁ ୫୦ ହଜାର ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି। ଏବେ ହଠାତ୍ ଲାଲୁ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯିବା ପରେ ଆରଜେଡିରେ ଉତ୍ତେଜନା ବୃଦ୍ଧି ପାଇଛି। ଜମି ଚାକିରି ମାମଲାରେ ସିବିଆଇ ଲାଲୁ ଓ ଅନ୍ୟ ୭୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟ୍ ଅନୁଯାୟୀ, ୨୦୦୪ରୁ ୨୦୦୯ ମଧ୍ୟରେ ରେଳମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ରେଳବାଇରେ ଗ୍ରୁପ୍-ଡି ଚାକିରି ବଦଳରେ ପ୍ରାର୍ଥୀଙ୍କଠାରୁ ଜମି ଓ ସମ୍ପତ୍ତି ନେଇଥିଲେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀର ୧୫୬ଟି ଉଚ୍ଚ କୋଠାରେ ମୁତୟନ ହେଲା ଆଣ୍ଟି ସ୍ମୋଗ୍ ଗନ୍