ମାୟାବତୀଙ୍କୁ ଝଟକା: ରାଜସ୍ଥାନ ବିଏସପି ଛାଡ଼ିଲେ ୬ ବିଧାୟକ, କଂଗ୍ରେସରେ ମିଶିଲେ
Khabar Odisha:Politics-Rajasthan-Bahujan-Samaj-Party-BSP-all-six-MLA-join-congress

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ରାଜସ୍ଥାନରେ ବହୁଜନ ସମାଜ ପାର୍ଟି (ବିଏସପି)କୁ ଜୋରଦାର ଝଟକା ଲାଗିଛି । ରାଜ୍ୟରେ ବିଏସପିର ସମସ୍ତ ୬ ଜଣ ବିଧାୟକ ଦଳ ଛାଡ଼ି କଂଗ୍ରେସରେ ସୋମବାର ଯୋଗଦେଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ କଂଗ୍ରେସରେ ବିଏସପି ବିଲିନ ହୋଇଯାଇଛି । ସୋମବାର ବିଳମ୍ବିତ ରାତି ଏହା ସ୍ପଷ୍ଟ ହୋଇଛି । କଂଗ୍ରେସରେ ସାମିଲ ଜଣେ ବିଧାୟକ କହିଛନ୍ତି, ନିଜ ଅଞ୍ଚଳରେ ହୋଇଥିବା ବିକାଶ କାମକୁ ନେଇ ସେ ଉତ୍ସାହିତ ଅଛନ୍ତି । ତେଣୁ ସେ କଂଗ୍ରେସରେ ଯୋଗଦେଇଛନ୍ତି ।

କଂଗ୍ରେସରେ ସାମିଲ ବିଧାୟକ ଯୋଗେନ୍ଦ୍ର ସିଂହ କହିଛନ୍ତି, ସମସ୍ତ ୬ ଜଣ ବିଧାୟକ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ, ଏଠାରେ ବହୁ ଅସୁବିଧା ଅଛି । ଆମେ କଂଗ୍ରେସ ସରକାରକୁ ସମର୍ଥନ କରୁଛୁ କିନ୍ତୁ ଆମେ ସରକାରଙ୍କ ବିପକ୍ଷରେ ନିର୍ବାଚନ ଲଢୁଛୁ । ଯୋଗେନ୍ଦ୍ର ସିଂହ କହିଛନ୍ତି, ଆମକୁ ନିଜ ଅଞ୍ଚଳର ବିକାଶ ପାଇଁ କାମ କରିବାକୁ ହେବ ।

ବହୁଜନ ସମାଜ ପାର୍ଟିର ସମସ୍ତ ୬ ବିଧାୟକ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ପତ୍ର ପଠାଇଛନ୍ତି । ବିଧାନସଭା ବାଚସ୍ପତି ସିପି ଯୋଶୀ ମଧ୍ୟ ୬ ଜଣ ବିଧାୟକ ବିଏସପି ଛାଡିଥିବା ନେଇ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ରାଜେନ୍ଦ୍ର ଗୁଢ଼ା (ଉଦୟପୁରଭାଟି), ଯୋଗେନ୍ଦ୍ର ସିଂହ ଅଭାନା (ନଦବାଇ), ଭାଜିବ ଅଲି (ନଗର), ଲାଖନ ସିଂହ ମୀନା (କରୋଲି), ସନ୍ଦୀପ ଯାଦବ (ତିଜାରା) ଓ ଦୀପଚାନ୍ଦ ଖୋରିଆ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି । 

ବିଏସପି ବିଧାୟକମାନେ କଂଗ୍ରେସରେ ଯୋଗଦେବା ପରେ ଅଶୋକ ଗହଲୋତଙ୍କ ସରକାର ଆହୁରି ମଜବୁତ ହୋଇଛି । ରାଜ୍ୟରେ ୨୦୦ ଆସନକୁ ନେଇ ଗଠିତ ହୋଇଥିବା ବିଧାନସଭାରେ କଂଗ୍ରେସରୁ ୧୦୦ ଜଣ ବିଧାୟକ ଅଛନ୍ତି । କଂଗ୍ରେସର ସହଯୋଗୀ ଦଳ ‘ରାଷ୍ଟ୍ରୀୟ ଲୋକଦଳ’ ପାଖରେ ଜଣେ ବିଧାୟକ ଅଛନ୍ତି । ସେହିପରି ୧୨ ଜଣ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ କରୁଛନ୍ତି । 

  • Tags:

Subscribe

National International State Sports Entertainment