ପ୍ରଧାନମନ୍ତ୍ରୀ ମୋଦୀଙ୍କ ହିମାଚଳ ପ୍ରଦେଶ ଗସ୍ତ ଆଜି, ମଣ୍ଡିରେ ଏହି ରାଲିକୁ କରିବେ ସମ୍ବୋଧିତ
Khabar Odisha:Politics-PM-Modi-in-Himachal-Pradesh-today-as-will-campaign

ମଣ୍ଡି/ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହିମାଚଳ ପ୍ରଦେଶ ଗସ୍ତ କରୁଛନ୍ତି । ଏହି ଅବସରରେ ସେ ମଣ୍ଡିରେ ଯୁବାଗୋଷ୍ଠୀଙ୍କ ପାଇଁ ‘ମହାଗର୍ଜନା ରାଲି’କୁ ସମ୍ବୋଧିତ କରିବେ । ହିମାଚଳ ପ୍ରଦେଶର ସାନକାଶୀ କୁହାଯାଉଥିବା ମଣ୍ଡିର ଐତିହାସିକ ପଡୁଲ ପଡ଼ିଆରେ ସେ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିବେ । ପ୍ରଧାନମନ୍ତ୍ରୀ ଏଠାରେ ପୂର୍ବାହ୍ନ ସାଢ଼େ ୧୦ଟାରେ ହେଲିକପ୍ଟରରେ କାଙ୍ଗଣୀ ହେଲିପୋର୍ଟ ପହଂଚିବେ । ଏଠାରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ସ୍ୱାଗତ କରିବେ । ହେଲିପୋର୍ଟରୁ ପଡୁଲ ପଡ଼ିଆର ନିର୍ମିତ ମଂଚ ପର୍ଯ୍ୟନ୍ତ ମୋଦୀ ବାହନରେ ଆସିବେ । ଏହି ଅବସରରେ ମନାଲି-ଚଣ୍ଡୀଗଡ଼ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିବ । 

ପ୍ରଧାନମନ୍ତ୍ରୀ ମୋଦୀ ପଡୁଲ ପଡ଼ିଆରେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିବେ । ଏଥିରେ ଏକ ଲକ୍ଷରର ଅଧିକ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଏହି ରାଲି ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ କାମ କରିବା ପାଇଁ ପରାମର୍ଶ ଦେବେ । ରାଜ୍ୟରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିଦିଆଯାଇଛି । ଏସ୍‌ପିଜି, ଆଇବି, ଅର୍ଦ୍ଧସୈନିକ ବଳ ଓ ପୁଲିସର ପାଖାପାଖି ୨୦୦୦ ଯବାନ ଓ ୧୫୦ ଜଣ ଅଧିକାରୀ ସୁରକ୍ଷା ଓ ଯାତାୟତ ବ୍ୟବସ୍ଥା ପାଇଁ ନିୟୋଜିତ ହେବେ । 

 

  • Tags:

Subscribe

National International State Sports Entertainment