ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ-୨୦୨୪ ପାଇଁ ବିଜୟ ରାସ୍ତା କ’ଣ ହେବ? ସବୁ ରାଜନୈତିକ ଦଳ ଏହାର ଉତ୍ତର ଖୋଜିବା ପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେପି କଥା ଯଦି କହିବା, ତା’ହେଲେ ନରେନ୍ଦ୍ର ମୋଦୀଙ୍କ ନାମ ଏବଂ କାମକୁ ନେଇ ଜନତାଙ୍କ ସାମ୍ନାକୁ ଯିବ । ଅନ୍ୟପଟରେ କଂଗ୍ରେସ ଏହାର ଉତ୍ତର ଖୋଜିବା ପୂର୍ବରୁ ଆଉ ଏକ ପ୍ରଶ୍ନ ଉଠୁଛି । ଏହି ପ୍ରଶ୍ନ ହେଉଛି ଦଳର ଅଧ୍ୟକ୍ଷ କିଏ ହେବେ?
ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ କଂଗ୍ରେସ ସାଂସଦ ଶଶି ଥରୁର ଦଳର ଅଧ୍ୟକ୍ଷ ଦୌଡରେ ଥିବା ଚର୍ଚ୍ଚା ହେଉଛି । କଂଗ୍ରେସର ଅନ୍ୟ ସାଂସଦ ରାହୁଲ ଗାନ୍ଧିଙ୍କ ନାଁ ଦ୍ୱନ୍ଦ୍ୱରେ ରହୁଛି ।
ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଶୋକ ଗହଲୋତ ନବରାତ୍ରୀ ସମୟରେ ସେପ୍ଟେମ୍ବର ୨୬ରୁ ୨୮ ମଧ୍ୟରେ ଅଧ୍ୟକ୍ଷ ପଦବି ପାଇଁ ନାମାଙ୍କନ ଦାଖଲ କରିବେ । କଂଗ୍ରେସ ସୂତ୍ର ମଧ୍ୟ କହୁଛି ଯେ, ଶଶି ଥରୁର ମଧ୍ୟ ଏହି ପଦବି ପାଇଁ ଆଗ୍ରହୀ । କୁହାଯାଉଛି ଯେ, ସୋନିଆ ଗାନ୍ଧିଙ୍କ ସାମ୍ନାରେ ଶଶି ଥରୁରୁ ଏହି ଆଗ୍ରହକୁ ପ୍ରକାଶକରିଛନ୍ତି । ସୋନିଆ ଗାନ୍ଧି କହିଥିଲେ ଯେ, କଂଗ୍ରେସରେ କୌଣସି ବ୍ୟକ୍ତି ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ଲଢ଼ିପାରିବେ ।
ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଛିଡ଼ା ହେଉଥିବ ରାହୁଲ ଗାନ୍ଧିଙ୍କୁ ନେଇ । ଗତ ୭ ତାରିଖ ଠାରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଯାଇଛି । ରାହୁଲ କହିଛନ୍ତି, ଅଟକିବି ନାହିଁ, ମୁଣ୍ଡ ନୁଆଇବିନି, ଭାରତ ଯୋଡିବି । କ’ଣ ଏହାର ଅର୍ଥ ରାହୁଲ ଗାନ୍ଧି ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ଆଗ୍ରହୀ । ଦଳର ଦାୟିତ୍ୱ ନିଜ ହାତକୁ ନେବାକୁ ପ୍ରସ୍ତୁତ ଅଛନ୍ତି କି? ଏମିତି ନାନା ପ୍ରଶ୍ନ ।