ହାଇଦ୍ରାବାଦ, ଅଗଷ୍ଟ ୦୩ (ଖବର ଓଡ଼ିଶା): ତେଲେଙ୍ଗାନାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ । ସେଥିପାଇଁ ରାଜନୈତିକ ଦଳମାନେ ଏବେ ଠାରୁ ନିଜ ନିଜ ସଂଗଠନକୁ ମଜବୁତ କରିବାରେ ଲାଗିପଡ଼ିଛନ୍ତି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଗରେ । ତେଲେଙ୍ଗାନା ଶାଖାର ବିଜେପି ନେତା ନାଟଚରାଜୁ ଭେଙ୍କଟ ସୁବାଷ ମଙ୍ଗଳବାର କହିଛନ୍ତି ଯେ, ରାଜ୍ୟର ଜନତା ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିକୁ ସୁଯୋଗ ଦେବେ । ସେ କହିଛନ୍ତି ଯେ, ଶାସକ ଦଳ ଟିଆରଏସ୍ ଓ ବିରୋଧୀ କଂଗ୍ରେସରୁ କିଛି ବିଧାୟକ ବିଜେପିରେ ସାମିଲ ହେବେ ।
ବିଜେପି ନେତା କହିଛନ୍ତି ଯେ, ଟିଆରଏସ୍ ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇପାରୁ ନାହାନ୍ତି । କାରଣ ସରକାର ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇଛି । ମୁଖ୍ୟମନ୍ତ୍ରୀ କେସସିଆର ନିଜେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିପାରି ନାହାନ୍ତି । ପାଖାପାଖି ୧୫ରୁ ୧୮ ଜଣ ଟିଆରଏସ ବିଧାୟକ ବିଜେପିରେ ମିଶିବେ । ସେହିପରି ୫ ଜଣ କଂଗ୍ରେସର ବିଧାୟକ ବିଜେପିରେ ସାମିଲ ହେବେ । ତାଙ୍କର ସମୟ ଆସିଲେ ସେମାନେ ବିଜେପିରେ ସାମିଲ ହେବେ ବୋଲି ବିଜେପି ନେତା ସୁବାଷ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।