ନୂଆପଡା: ନୂଆପଡା ଉପନିର୍ବାଚନରେ ବୃହତ ବିଜୟ ଆଡକୁ ଅଗ୍ରସର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏହା ସହିତ ଓଡିଶାରେ ଉପନିର୍ବାଚନରେ ଶାସକ ଦଳର ପ୍ରାର୍ଥୀ ଜିତିବାର ଟ୍ରେଣ୍ଡ ଜାରି ରହିଛି । ଏହି କ୍ରମରେ ବିଜେପିର ସଫଳତା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ସାମ୍ନାକକୁ ଆସିଛି । ନୂଆପଡାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ମନମୋହନ । ଯାହାର ପ୍ରତିଫଳଣ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି ।
ସେ କହିଛନ୍ତି, ନୂଆପଡା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳି । ଜିଲ୍ଲାରେ ଶିଳ୍ପ, କଳକାରଖାନା ନାହିଁ । ଜଳସେଚନର ବ୍ୟବସ୍ଥା ବି ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକ ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ମନମୋହନ କହିଛନ୍ତି, ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନୁ । ଅନ୍ୟକୁ ଦୋଷ ନ ଦେଇ ବିରୋଧୀ ଆତ୍ମ ସମୀକ୍ଷା କରନ୍ତୁ । ନୂଆପଡାର ବିକାଶ ପାଇଁ ଲୋକେ ଜୟ ଢୋଲକିଆଙ୍କୁ ଜିତାଇବାକୁ ଯାଉଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି ।
ସୂଚନାଯୋଗ୍ୟ, ୧୫ମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୭୩ ହଜାର ୭୪୫ ଭୋଟ୍ ମିଳିଛି । ଏଥିସହ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ୫୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ଜୟ ଢୋଲକିଆ । ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ୨୩ ହଜାର ୦୮୯ ଖଣ୍ଡ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ କଂଗ୍ରେସର ଘାସିରାମଙ୍କୁ ୨୨ ହଜାର ୬୧୮ ଭୋଟ୍ ମିଳିଛି । ଏଥିସହ ଜୟ ଢୋଲକିଆ ବଡ ବିଜୟ ପଥେ ଅଗ୍ରସର ହେଉଛନ୍ତି ।
Also read: ଉପନିର୍ବାଚନକୁ ନେଇ ଘାସିରାମଙ୍କ କ୍ଷୋଭ, କହିଲେ- ନା ଟଙ୍କା ମିଳିଲା, ନା କେନ୍ଦ୍ରୀୟ ସହାୟତା