ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା): ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ଅଭିଯୋଗ ଆଣିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତକୁ ରାଜ୍ୟଗୁଡ଼ିକର ସଂଘ ଦର୍ଶାଇ ବିଚ୍ଛିନ୍ନତାବାଦୀ ତତ୍ୱକୁ ଉସୁକାଉଛନ୍ତି । ତାଙ୍କ ଠାରେ ତଥା ଉଗ୍ରବାଦୀ ସମୂହ ଉଲଫା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସାପ୍ତାହିକ ପତ୍ରିକା ‘ଅର୍ଗାନାଇଜର ଆଣ୍ଡ ପଞ୍ଚଜନ୍ୟ’ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ମିଡିଆ ଗୋଷ୍ଠୀ କାର୍ଯ୍ୟକ୍ରମରେ ଏହା କହିଛନ୍ତି । ଅର୍ଗାନାଇଜରର ସଂପାଦକ ପ୍ରଫୁଲ୍ଲ କେତକରଙ୍କ ରାହୁଲ ଗାନ୍ଧୀ ଦ୍ୱାରା ଭାରତକୁ ରାଜ୍ୟଗୁଡ଼ିକର ସଂଘ ଦର୍ଶାଇବା ସଂପର୍କରେ ପ୍ରଶ୍ନ ପଚରାଯିବାରୁ ଉତ୍ତରରେ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତ ସାଂସ୍କୃତିକ ଭାବରେ ଏକ ।
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତକୁ କେବଳ ରାଜ୍ୟଗୁଡ଼ିକର ସଂଘ ଭାବେ ପରିିଚିତ କରାଇବା ଆମର ୫୦୦୦ ବର୍ଷ ପୁରୁଣା ସମୃଦ୍ଧ ସଭ୍ୟତାକୁ ଚ୍ୟାଲେଞ୍ଜ କରିବା ସହ ସମାନ । ଯଦି ଭାରତ ରାଜ୍ୟଗୁଡ଼ିକର ସଂଘ, ତା’ହେଲେ ଏହାର ଅର୍ଥ ଯେ, ଆପଣ ଭାରତର ପ୍ରତ୍ୟେକ କଥାରେ ବିବାଦ ଛିଡ଼ା କରାଉଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ, ଏବେ ରାହୁଲ ଗାନ୍ଧୀ ଲୋକଙ୍କୁ ବୁଝାଉଛନ୍ତି ଯେ, ଭାରତ ହେଉଛି ରାଜ୍ୟଗୁଡ଼ିକର ସଂଘ । ସେ ବିଚ୍ଛିନ୍ନତାବାଦୀକୁ ଉସୁକାଉଛନ୍ତି ।