ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ମନମୋହନଙ୍କୁ ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କୁ ଏହି ଦାୟିତ୍ୱ ଦେଇ ନିର୍ବାଚନ ପ୍ରସ୍ତୁତିକୁ ବିଜେପି ଜୋରଦାର କରୁଥିବା ସଂକେତ ଦେଇଛି । ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇ ଯାଇଛି । ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇ ଥିଲେ । ରାଜ୍ୟରେ ମେଣ୍ଟ ସରକାର ବେଳେ ମନ୍ତ୍ରୀ ଥିଲେ ମନମୋହନ । ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି ଦାୟିତ୍ୱ ନୂଆ ନୁହେଁ। ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ଧାମନଗର ଉପ-ନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଛି । ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବ ।
ରାଜ୍ୟ ବିଜେପି ସଭାପତି ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଛନ୍ତି, ‘ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିକି ରହିଛି । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢ଼ିବ । ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, ତାକୁ ୨୪ରେ ପରିବର୍ତ୍ତନ କରାଯିବ। ଲୋକେ ବିକଳ୍ପ ସରକାର ଅପେକ୍ଷାରେ ଥିବା ବେଳେ ଆମେ ସେହି ବିକଳ୍ପ ଦେବୁ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ନୂଆ ବିଜେପି ସଭାପତି । ସେପଟେ ମନମୋହନ ସାମଲ ବିଜେପିର ରାଜ୍ୟ ମୁଖିଆ ହେବା ପରେ ତାଙ୍କ ନିକଟକୁ ଶୁଭାଚ୍ଛାର ସୁଅ ଛୁଟିଛି। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମିତ ଶାହ ଆସନ୍ତା ମାସରେ ଭଦ୍ରକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭଦ୍ରକର ନେତା ମନମୋହନ ସାମଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି।