ନୂଆଦିଲ୍ଲୀ, ଏପ୍ରିଲ ୧୩ (ଖବର ଓଡ଼ିଶା):
ଦେଶରେ କରୋନା ଜୀବାଣୁ ମହାମାରୀର ସଙ୍କଟ ମଧ୍ୟରେ ବି ସୁପ୍ରିମକୋର୍ଟର କାର୍ଯ୍ୟ ଜାରି ରହିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ପରିଚାଳନା କରୁଛନ୍ତି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୋମବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ମାର୍ଚ୍ଚ ମାସରେ ହୋଇଥିବା ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ଫ୍ଲୋର ଟେଷ୍ଟକୁ ନିର୍ଦ୍ଦେଶ ଠିକ ଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଏଭଳି ପରିସ୍ଥିତିରେ ଅଭିଷେକ ମନୁ ସିଂହଭି ଦେଇଥିବା ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ସେ କହିଥିଲେ ଯେ ରାଜ୍ୟପାଳ ଏଭଳି ଆଦେଶ ଦେଇ ପାରିବେ ନାହିଁ ବୋଲି।
ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ ରାଜ୍ୟପାଳ ନିଜେ ସେତେବେଳେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି, କେବଳ ଫ୍ଲୋର ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏକ ଚାଲୁଥିବା ବିଧାନସଭାରେ କେବଳ ଦୁଇ ପ୍ରକାରର ରାସ୍ତା ବଞ୍ଚିଥାଏ, ସରକାରଙ୍କୁ ବହମତ ସାବ୍ୟସ୍ତ କରିବା ପାଇଁ ଫ୍ଲୋର ଟେଷ୍ଟ କିମ୍ୱା ଆସ୍ଥା ପରୀକ୍ଷାର ହିଁ ସାହାର୍ଯ୍ୟ ନେବାକୁ ପଡିଥାଏ। ଏହା ସହ କୋର୍ଟ ରାଜ୍ୟପାଳଙ୍କ ଅଧିକାର ସମ୍ପର୍କରେ ମଧ୍ୟ ବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି, ରାଜନୈତିକ ଅସ୍ଥିରତା ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ବିଧାନସଭାରେ ଫ୍ଲୋର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଯେତେବେଳେ ଗୃହ ଆରମ୍ଭ ହେଲା, ବିଧାନସଭାର ବାଚସ୍ପତି କରୋନା ଜୀବାଣୁ କାରଣରୁ କିଛି ଦିନ ପାଇଁ ଗୃହକୁ ସ୍ଥଗିତ ରଖିଥିଲେ। ଯାହା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।