ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ସଂପନ୍ନ ହୋଇଥିବା ବେଳେ ଶନିବାର ହରିୟାଣାରେ ମତଦାନ ଜାରି ରହିଛି। ଭୋଟିଂ ସରିବା ପରେ ଆଜି ସନ୍ଧ୍ୟାରେ ସାମ୍ନାକୁ ଆସିବ ଏକଜିଟ୍ ପୋଲ୍ । ଏହି ଏକଜିଟ୍ ପୋଲ୍ ଜରିଆରେ ଜୟ ପରାଜୟର ପୂର୍ବାନୁମାନ କରାଯିବ । ନିର୍ବାଚନ ଆୟୋଗଙ୍କ ଅନୁସାରେ, ହରିୟାଣା ମତଦାନ ସମାପ୍ତ ପରେ ହିଁ ସନ୍ଧ୍ୟା ୭ଟାରେ ଏକଜିଟ୍ ପୋଲର ସିଧା ପ୍ରସାରଣ କରାଯାଇ ପାରିବ । ଏଥିପାଇଁ ସର୍ଭେ ଏଜେନ୍ସି ନିଜର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି । ଦେଶର ବିଭିନ୍ନ ନ୍ୟୁଜ ଚ୍ୟାନେଲ ଓ ନ୍ୟୁଜ ୱେବସାଇଟରେ ଏହାର ଫଳାଫଳ ପ୍ରକାଶ ପାଇବ ।
କେଉଁ କେଉଁ ସଂସ୍ଥା କରିବେ ଏକଜିଟ୍ ପୋଲ ?
ଆଜି ସନ୍ଧ୍ୟା ୭ଟାରୁ ଏକଜିଟ୍ ପୋଲର ଫଳାଫଳର ସିଧା ପ୍ରସାରଣ ହେବ । ଟୁଡେ ଚାଣକ୍ୟ, ଏକ୍ସିସ ମାଇଁ ଇଣ୍ଡିଆ, ସିଏସଡିଏସ, ସି ଭୋଟର, ଟାଇମ୍ସ ନାଓ ଓ ପୋଲ୍ ଅଫ ପୋଲ୍ସ ସହିତ ଅନେକ ସର୍ଭେ ଏଜେନ୍ସି ହରିୟାଣା ଓ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲର ଫଳାଫଳ ପ୍ରକାଶ କରିବେ ।
ଏକଜିଟ୍ ପୋଲ ଏଜେନ୍ସିଙ୍କ ଦ୍ୱାରା ମତଦାତାଙ୍କ ପ୍ରତିକ୍ରିୟା ଆଧାରରେ ପ୍ରସ୍ତୁତ ଏକ ପୂର୍ବାନୁମାନ । ଏହାର ଫଳାଫଳ ସର୍ବଦା ସଠିକ୍ ହୁଏ ନାହିଁ । କିନ୍ତୁ ଅଧିକାଂଶ ସମୟରେ ଏକଜିଟ ପୋଲର ଭବିଷ୍ୟତବାଣୀ ସଠିକ୍ ରହିଛି । କିନ୍ତୁ ସିଟ୍ ସଂଖ୍ୟା ଏବଂ ଏହାର ବ୍ୟବଧାନରେ ଫରକ ଆସିଥାଏ ।
ଏଥର ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ଭୋଟିଂ ହୋଇଛି । ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ଏଠାରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥର ମୋଟ୍ ୬୩.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥିରେ ପୁରୁଷଙ୍କ ଭାଗିଦାରୀ ୬୪.୬୮ ପ୍ରତିଶତ ଏବଂ ମହିଳାଙ୍କର ୬୩.୦୪ ପ୍ରତିଶତ ରହିଛି । ଏଠାରେ ନ୍ୟାସନାଲ କନଫରେନ୍ସ(ଏନସି), ବିଜେପି, ପିଡିପି ଓ କଂଗ୍ରେସ ଦଳ ମଇଦାନରେ ଅଛନ୍ତି ।
ସେହିପରି ହରିୟାଣାରେ ବିଜେପି ଓ କଂଗ୍ରେସ ସହ ଆପ୍ ନିର୍ବାଚନ ଲଢୁଛି । କିନ୍ତୁ ପ୍ରକୃତ ଲଢେଇ ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ୨୦୧୪ଠୁ ଏଠାରେ ବିଜେପି କ୍ଷମତାସୀନ ରହିଛି । ଏଥର ନିର୍ବାଚନରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ରେସଲର ଭିନେଶ ଫୋଗାଟ । ସେ କଂଗ୍ରେସ ଟିକେଟରେ ମଇଦାନରେ ଅଛନ୍ତି ।