ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରରେ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ହରିୟାଣା ନିର୍ବାଚନରେ କଂଗ୍ରେସ ପାର୍ଟିର ପରାଜୟକୁ ନେଇ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ବାକି ପାର୍ଟି ଆଗକୁ ମାଡି ଗଲେଣି, ମାତ୍ର କଂଗ୍ରେସ ପାର୍ଟି ଆଜି ପର୍ଯ୍ୟନ୍ତ ପରିବାରବାଦରୁ ମୁକୁଳି ପାରିଲା ନାହିଁ । ସେ ଆକ୍ଷେପ କରି କହିଛନ୍ତି, ଡାଏନାସୋର ଧରାପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରି ପାରିବେ, କିନ୍ତୁ କଂଗ୍ରେସ ପାର୍ଟି କ୍ଷମତାକୁ କେବେ ବି ଫେରି ପାରିବ ନାହିଁ ।
ବିଟ୍ଟୁ ଲୋକସବା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଲୋକସଭା ନିର୍ବାଚନରେ ତାଙ୍କୁ ସଫଳତା ମିଳି ନ ଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟରେ ତାଙ୍କୁ ସ୍ଥାନ ଦେଇ ତାଙ୍କୁ ଯଥୋତିତ ସମ୍ମାନ ଦେଇଛନ୍ତି ।
ଏହା ପୂର୍ବରୁ ରବନୀତ ସିଂ ବିଟ୍ଟୁ କଂଗ୍ରେସ ଦଳକୁ ଉପଦେଶ ଦେଇ କହିଥିଲେ ଯଦି କଂଗ୍ରେସ ପାର୍ଟିକୁ ବିରୋଧ କରିବାର ଅଛି ତେବେ ସେମାନେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରନ୍ତୁ । କଂଗ୍ରେସ ଯେ ପର୍ଯ୍ୟନ୍ତ ପରିବାରବାଦକୁ ଜାବୁଡି ଧରି ରଖିଥିବ ସେ ପର୍ଯ୍ୟନ୍ତ ଦଳ କଦାପି ଆଗକୁ ବଢି ପାରିବ ନାହିଁ । ଅନେକ ପାର୍ଟି କେତେ ଆଗକୁ ମାଡି ଗଲେଣି । କିନ୍ତୁ କଂଗ୍ରେସର ଅଧୋଗତି ହୋଇ ଚାଲିଛି । ପୃଥିବୀରେ ଡାଏନାସୋରର ପୁନର୍ଜନ୍ମ ହୋଇ ପାରିବ କିନ୍ତୁ କଂଗ୍ରେସ କେବେ କ୍ଷମତାକୁ ଫେରି ପାରିବ ନାହିଁ ।
ସୂଚନାଯୋଗ୍ୟ, ହରିୟାଣାରେ ବିଧାନସଭା ନିର୍ବାଚନ ଜିତି ରେକର୍ଡ ତୃତୀୟ ଥର ସରକାର ଗଢିବାକୁ ଯାଉଛି ବିଜେପି । ଦଳ ସମସ୍ତ ପ୍ରକାରର ଏକଜିଟ୍ ପୋଲର ପୂର୍ବାନୁମାନ ଓ ଆକଳନକୁ ଭୁଲ୍ ପ୍ରମାଣିତ କରି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରୁଛି । ରାଜ୍ୟରେ ବିଜେପି ପାଇଁ ବିଜୟ ସେତେ ସହଜ ନ ଥିଲା । କାରଣ ତୃଣମୂଳସ୍ତରରେ ବିଜେପି ବିରୋଧରେ ସରକାର ବିରୋୀ ହାୱା ବହୁଥିଲା । ତଥାପି ଏସବୁକୁ ପ୍ରତିହତ କରି ପାରି କଂଗ୍ରେସକୁ ମାତ୍ ଦେବାରେ ସଫଳ ହୋଇଛି ବିଶ୍ୱର ସର୍ବବୃହତ ଦଳ ଭାରତୀୟ ଜନତା ପାର୍ଟି । ହରିୟାଣାର ୯୦ ଆସନରୁ ବିଜେପି ୪୮ଟି ଜିତି କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି । କଂଗ୍ରେସ ୩୭ ଆସନରେ ସୀମିତ ରହିଛି ।