ରାଜ୍ୟର ଆଇନ ଶୃଙ୍ଖଳା ବିଗୁଡ଼ିଥିବା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ରାଜଧାନୀର ହିଟ୍ ଆଣ୍ଡ ରନ ମାମଲାରେ ଅଭିଯୁକ୍ତକୁ ଗିରଫ ଦାବି ସହ ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ବିଜେଡି ନେତା ଓ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଝାରସୁଗୁଡ଼ା ଜିଲ୍ଲା ବିଜେପି। ଏନେଇ ଝାରସୁଗୁଡ଼ାର ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିଜେପି ଧାରଣା ଦେଇଛି ।
ଗୋଟେ ପଟେ ଭୁବନେଶ୍ଵର ପାୱାର ହାଉସ ଛକରେ ହୋଇଥିବା ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇ ବିବାଦ ଥମିନାହିଁ । ରାଜଧାନୀର ରାଜରାସ୍ତାରେ ରେଞ୍ଜ ରୋଭର ଧକ୍କାରେ ତିନି ଦିନ କାଳ ଜୀବନ ସହ ଲଢ଼ିଲଢ଼ି ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରା ଆଖି ବୁଜିଛନ୍ତି । ରେଞ୍ଜ ରୋଭର ଧକ୍କାରେ କଟକର ଏକ ଘରୋଇ ହସ୍ପିଟାଲରେ ଲୋପାମୁଦ୍ରାଙ୍କ ଜୀବନ ଯିବା ପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଜୀବନ ସହ ଲଢୁଛନ୍ତି ଅବସରପ୍ରାପ୍ତ ସିଆଇଏସ୍ଏଫ୍ ଯବାନ କାହ୍ନୁଚରଣ ନାୟକ । ଉକ୍ତ ଘଟଣାରେ ବିଜେଡି ବିଧାୟିକାଙ୍କ ଭାଇ ବିଶାଳ ଦାସ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଥିବା ବେଳେ କାହିଁକି ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉନି ବୋଲି ବିଜେପି ଦାବି କରିଛି ।
ଏଥିସହ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଭିତରେ ପଶି ଦୁର୍ବୃତ୍ତଙ୍କ ଭଙ୍ଗାରୁଜା ଘଟଣାରେ ବିଜେଡି ନେତା ସୁଶାନ୍ତ ସିଂ ସମ୍ପୃକ୍ତ ଥିଲେ ବି କାହିଁକି ତାଙ୍କୁ ଗିରଫ କରାଯାଉନାହିଁ ବୋଲି ବିଜେପି ଦାବି କରିଛି । ବିଜେପି ଦାବି ରାଜ୍ୟସରକାର ଗଣତନ୍ତ୍ରର ହତ୍ୟା କରୁଛନ୍ତି । ତେଣୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ପୁରୁଣା ବସ୍ ଷ୍ଟ୍ୟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ଭୁଖରେ ରାଜ୍ୟ ସରକାର ବିରୁଦ୍ଧରେ ଧରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛି ଝାରସୁଗୁଡ଼ା ଜିଲ୍ଲା ବିଜେପି l ଏହି ଧାରଣାରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ , ଜିଲ୍ଲା ସଭାପତି ସୁନୀଲ ପଣ୍ଡା ଏବଂ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ମଧ୍ୟ ଧାରଣ ଦେଇଛନ୍ତି ।
ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏ ସରକାର କିଛି ଜାଣୁନି । ଏଠି ଡାହାଣ ହାତ କଣ କରୁଛି ବାଁ ହାତ ଜାଣୁନି | ସୁଶାନ୍ତଙ୍କ ବୟାନ ହିଁ କହୁଛି ସେ ଦୋଷୀ ବୋଲି । ରାଜ୍ୟସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ସୁଶାନ୍ତଙ୍କ କଥା ହିଁ ସିଧା ସଳଖ ଗୃହ ବିଭାଗକୁ ଦାୟୀ କରୁଛି ।