ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀକୁ ୧୨ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି । ନମୋ ଭାରତ ନେଟୱର୍କର ବିସ୍ତାର ଓ ନୂଆ ମେଟ୍ରୋ ଲାଇନର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ରୋହିଣୀର ଜାପାନୀ ପାର୍କରେ ବିଜେପିର ପରିବର୍ତ୍ତନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଗୋଟିଏ ପଟେ ଆପ୍ ସରକାର ଉପରେ ବର୍ଷିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ବିଜେପି ସରକାର ଚାଲିଥିବା ମାଗଣା ଯୋଜନାକୁ ବନ୍ଦ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ପକ୍ଷରୁ ପ୍ରଚାର କରାଯାଉଛି ଯେ, ବିଜେପି କ୍ଷମତାକୁ ଆସିଲେ ମାଗଣା ବିଜୁଳି-ପାଣି- ପରି ଯୋଜନା ବନ୍ଦ କରି ଦେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମ୍ ଆଦମୀ ପାର୍ଟି ଏକ ଆପଦା ପାର୍ଟି । ଦିଲ୍ଲୀରେ ବର୍ଷା ସମୟରେ ଜଳପୂର୍ଣ୍ଣ ସମସ୍ୟା, ଶୀତ ଦିନରେ ପ୍ରଦୂଷଣ ସମସ୍ୟା ଏବଂ ସିଜିନ ଅନୁସାରେ ଦିଲ୍ଲୀବାସୀଙ୍କୁ ନାନା ବିପଦର ସମ୍ମୁଖୀନ ହେବାକୁ ପଡୁଛି । ଦିଲ୍ଲୀରେ ଆପ୍ ପାର୍ଟି ମିଥ୍ୟା ପ୍ରଚାର କରୁଛି ଯେ, କେନ୍ଦ୍ର ସରକାର ଆପ୍ ସରକାରକୁ କାମ କରିବାକୁ ଦେଉନି । କିନ୍ତୁ ଆଜି ଏକ ବଡ ଖବରକାଗଜରେ ସିଏଜି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ବିଳାସମୟ ଘର ନିର୍ମାଣରେ କେମିତି ଖର୍ଚ୍ଚ ହୋଇଛି ତାର ବିବରଣୀ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ଜାଣିଲେ ଦୁଃଖ କରିବେ ଯେ, ଯେଉଁ ସମୟରେ ଦିଲ୍ଲୀବାସୀ କରୋନା ସହ ସଂଘର୍ଷ କରୁଥିଲେ, ଅକ୍ସିଜେନ ଓ ଔଷଧ ପାଇଁ ଧାଁ ଦଉଡ କରୁଥିଲେ, ସେହି ସମୟରେ ଏହି ସବୁ ଲୋକ ନିଜର ବିଳାସମୟ ଘର ନିର୍ମାଣରେ ବ୍ୟସ୍ତ ଥିଲେ । ନିଜର କୋଠା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ଆଜି ଖବରକାଗଜରେ ଏହାର ଖୁଲାସା କରିଥିଲେ ।