ପ୍ରୟାଗରାଜ: ସଂସଦର ବଜେଟ୍ ଅଧିବେଶନରେ ଆଜି ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଦେଶର କୃଷି କ୍ଷେତ୍ରରେ ଆଧୁନିକୀକରଣ ଓ ଆତ୍ମନିର୍ଭରଶୀଳ ଦିଗରେ ସରକାରଙ୍କ ଯୋଜନାକୁ ରାଷ୍ଟ୍ରପତି ରେଖାଙ୍କିତ କରିଛନ୍ତି । ରାଷ୍ଟ୍ରପତି ଅଭିଭାଷଣରେ କୃଷକଙ୍କ ଆୟ ବୃଦ୍ଧି ଉପରେ ଜୋର ଦେଇଛନ୍ତି । ତେବେ ବିରୋଧୀଙ୍କୁ ରାଷ୍ଟ୍ରପତିଙ୍କ ଏହି ଭାଷଣ ପସନ୍ଦ ଆସିନି ।
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଶୁକ୍ରବାର ସଂସଦର ବଜେଟ ଅଧିବେଶନ ପୂର୍ବ ଦିନ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଶେଷ ଆଡକୁ ବହୁତ ଥକ୍କା ଲାଗୁଥିଲେ । ସେ ବହୁତ ଥକି ଯାଇଥିଲେ ଏବଂ ଶେଷ ଆଡକୁ ବହୁତ ମୁସ୍କିଲରେ ଭାଷଣ ପଢି ପାରୁଥିଲେ । ବିଚାରି ମହିଳା ।
ଏହା ପୂର୍ବରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ବହୁତ ବୋରିଂ ଲାଗିଲା ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣରେ ଅତ୍ୟଧିକ ସରକାରଙ୍କ ପ୍ରଚାର ଥିଲା ଏବଂ ଏଥିରେ କିଛି ନୂତନତ୍ୱ ନ ଥିଲା । କଂଗ୍ରେସ ନେତାଙ୍କ ଏମିତି ବୟାନ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ଶାସକ ଦଳ ପକ୍ଷରୁ ଏହାକୁ ନେଇ କଂଗ୍ରେସକୁ ଘେରିବାର ସମ୍ଭାବନା ରହିଛି ।
ସୋନିଆ ଗାନ୍ଧୀଙ୍କ ବୟାନ ଉପରେ ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ରାଷ୍ଟ୍ରପତିଙ୍କୁ ନେଇ ସୋନିଆଙ୍କ ବୟାନ ସଂପୂର୍ଣ୍ଣ ଅନୁଚିତ । ରାଷ୍ଟ୍ରପତି ଦୃଢତାର ସହ ନିଜର ଭାଷଣ ରଖିଥିଲେ । ସୋନିଆ ଗାନ୍ଧୀଙ୍କୁ ନିଜର ଏମିତି ଟିପ୍ପଣୀ ପାଇଁ କ୍ଷମା ମାଗିବା ଉଚିତ୍ । ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ କଟାକ୍ଷ କରି ସମ୍ବିତ କହିଛନ୍ତି ଯେ, କଂଗ୍ରେସର ଏହି ନେତା ବାରମ୍ବାର ଲଞ୍ଚ ହୋଇ ପାରୁ ନାହାନ୍ତି ।