ଭୁବନେଶ୍ୱର: ଭଦ୍ରକରେ ବିଜୁ ଜନତା ଦଳକୁ ଆଜି ଏକ ଶକ୍ତ ଝଟକା ଲାଗିଛି । ଏହା ସହିତ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ମଧ୍ୟ ଶକ୍ତ ଆଘାତ ଲାଗିଛି । ପ୍ରଫୁଲ୍ଲଙ୍କ ସମ୍ପୂର୍ଣ୍ଣ ପରିବାର ଆଜି ପଦ୍ମ ପୋଖରୀରେ ବୁଡ଼ ଦେଇଛନ୍ତି । ପ୍ରଫୁଲ୍ଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓରଫ୍ ଲୁଲୁ ଓ ପ୍ରଣୀତକାନ୍ତି ସାମଲ୍ ଓରଫ୍ ଜୁଲୁ ଏବଂ ଭଉଣୀ ଉର୍ମିଲା ନାୟକ ବିଜେପିରେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମସ୍ତ ଦଳରେ ଯୋଗ ଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଶକ୍ତଶାଳୀ ହେବାରେ ଲାଗିଛି । ତୃଣମୂଳ ସ୍ତରରେ ଦଳରେ ତାର ବଳ ଗୋଟାଇବାରେ ଲାଗିଛି । ଆଜି ଭଦ୍ରକ ପ୍ରାୟ ପାଞ୍ଚଟି ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ଶତାଧିକ କର୍ମକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନିକଟରେ ବିଜେଡ଼ି ଛାଡ଼ିଥିବା ୪ ବ୍ଲକ୍ ଅଧ୍ୟକ୍ଷ, ୩୦ରୁ ଅଧିକ ସରପଞ୍ଚ, ୩୫ ସମିତି ସଭ୍ୟ, ୧୦୦ରୁ ଅଧିକ ୱାର୍ଡ ମେମ୍ବର ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଧାୟକ ବାବୁ ସିଂ, ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତି ଥିଲେ । ପ୍ରଣୀତକାନ୍ତି ସାମଲ ଭଣ୍ଡାରିପୋଖରୀ ବ୍ଲକ୍ ଉପାଧ୍ୟକ୍ଷ ଥିବାବେଳେ ଉର୍ମିଳା ନାୟକ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଅଛନ୍ତି ।