ପୁର୍ବତନ ମନ୍ତ୍ରୀ ତଥା ନୂଅପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯୋଧନ ମାଝୀଙ୍କ ପରଲୋକ ହୋଇଛି। ଗତକାଲି ଘରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ନିଜ ପ୍ରୟ ନେତାଙ୍କ ମୃତ୍ୟୁ ଖବର ପାଇବା ପରେ ଖଡିଆଳ ନିର୍ବାଚନ ମଣ୍ଡଳିରେ ଶୋକର ଛାୟା ଖେଳିଯାଇଛି। ଖବର ମୁତାବକ ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ୮୪ ବର୍ଷ ବୟସ ହୋଇଥିଲା।
ମାଝୀ ତାଙ୍କ ଲମ୍ବା ରାଜନୈତିକ ଜୀବନରେ ଖଡିଆଳ ନିର୍ବାଚନ ମଣ୍ଡଳିରୁ ୧୯୯୦ରୁ ୨୦୧୯ ମଧ୍ୟରେ ସେ ୫ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୦ ଏବଂ ୧୯୯୫ ରେ ଜନତା ଦଳରୁ ଖଡିଆଳରୁ ସେ ଦୁଇ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ୨୦୦୦ ଏବଂ ୨୦୦୬ରେ ଦୁଇଥର ମନ୍ତ୍ରୀ ମଧ୍ୟ ରହିଥିଲେ।
୨୦୧୪ରେ ସେ ବିଜେଡି ଛାଡି ବିଜେପି ଟିକେଟ୍ରୁ ଲଢି ପୁନଶ୍ଚ ଖଡିଆଳରୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ଟିକେଟ୍ ନମିଳିବାରୁ ସେ ପୁଣି ବିଜେଡିକୁ ଫେରି ଆସିଥିଲେ।