ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ବନ୍ଦ ହୋଇଯାଇପାରେ ୟୁପିଆଇ ଅନଲାଇନ୍ ପେମେଣ୍ଟ । ଯଦି ଆପଣ ଏହି ସବୁ କାମ ନ କରନ୍ତି ତେବେ ଆଉ ୟୁପିଆଇ ଜରିଆରେ ଅନଲାଇନ୍ ଟଙ୍କା ନେଣଦେଣ କରି ପାରିବେ ନାହିଁ । ନାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଏମିତି କିଛି ନୂତନ ନିୟମ ଆଣିଛନ୍ତି । ଯଦି ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ ହୋଇଥିବା ମୋବାଇଲ୍ ନମ୍ବର ଆଉ କାମ କରୁ ନାହିଁ କିମ୍ବା ବ୍ୟବହାର କରୁ ନାହାଁନ୍ତି, ତେବେ ପେମେଣ୍ଟ୍ ବନ୍ଦ ହୋଇଯିବ । ଫଳରେ ଗୁଗୁଲ ପେ (Google Pay), ପେଟିଏମ୍ (Paytm), ଫୋନ ପେ (PhonePe) ଇତ୍ୟାଦିରେ ପେମେଣ୍ଟ୍ ବାଧାପ୍ରାପ୍ତ ହୋଇପାରେ । ତେଣୁ ତୁରନ୍ତ ବ୍ୟାଙ୍କରେ ନମ୍ବର ଅପଡେଟ୍ କରିବାକୁ କୁହାଯାଇଛି ।
ଏନପିସିଆର ଅନୁସାରେ, ୟୁପିଆଇ ଆଇଡିରେ ସଂଯୋଗ ଥିବା ମୋବାଇଲ ନମ୍ବର ଯଦି ଦୀର୍ଘ ଦିନ ହେବ ବନ୍ଦ ହୋଇଯାଇଛି ତାହା ସୁରକ୍ଷା ଉପରେ ଆଞ୍ଚ ଆଣିପାରେ । ଯେଉଁ ଉପଭୋକ୍ତାମାନେ ସେମାନଙ୍କର ମୋବାଇଲ୍ ନମ୍ବର ପରିବର୍ତ୍ତନ କରନ୍ତି କିମ୍ବା ନିଷ୍କ୍ରିୟ କରନ୍ତି ସେମାନେ ପ୍ରାୟତଃ ୟୁପିଆଇ ଆଇଡି ଡିଲିଟ୍ କରିବାରେ ବିଫଳ ହୁଅନ୍ତି, ଯାହା ସେମାନଙ୍କ ପାଇଁ ଏକ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ । ଯଦି ଭବିଷ୍ୟତରେ ଏପରି ନମ୍ବର ଅନ୍ୟ କାହାକୁ ଦିଆଯାଏ, ତେବେ ଠକମାନେ ଏହାର ଅପବ୍ୟବହାର କରିପାରନ୍ତି । ଏହି ପରିସ୍ଥିତିକୁ ଏଡାଇବା ପାଇଁ ଏନପିସିଆଇ ଫୋନପେ, ଗୁଗୁଲ ପେ, ପେଟିଏମ୍ ଇତ୍ୟାଦି ଅନସଲାଇନ୍ ପେମେଣ୍ଟ ଆପରେ ନିଷ୍କ୍ରିୟ ହୋଇଯାଇଥିବା ନମ୍ବରଗୁଡ଼ିକୁ ହଟାଇବାକୁ ବ୍ୟାଙ୍କକୁ କହିଛି ।
କେଉଁମାନଙ୍କର ୟୁପିଆଇ ପେମେଣ୍ଟ ବନ୍ଦ ହେବ ?
ଯଦି ବ୍ୟାଙ୍କ୍ ଆକାଉଣ୍ଟ ସହିତ ସଂଯୋଗ ହୋଇଥିବା ମୋବାଇଲ୍ ନମ୍ବର ବଦଳାଇଛନ୍ତି କିମ୍ବା ଅପଡେଟ୍ ହୋଇ ନାହିଁ, ତେବେ ପେମେଣ୍ଟ୍ ବନ୍ଦ ହୋଇ ଯାଇପାରେ ।
ଯେଉଁମାନେ ବ୍ୟାଙ୍କରେ ଦେଇଥିବା ନମ୍ବରକୁ ଆଉ ବ୍ୟବହାର କରୁ ନାହାଁନ୍ତି ।
ମୋବାଇଲ୍ ନମ୍ବର ନିଷ୍କ୍ରିୟ ହୋଇଯାଇଥିଲେ ୟପିଆଇରୁ କଲ୍, ଏସ୍ଏମ୍ଏସ୍, ଇତ୍ୟାଦି ଆସିବା ବନ୍ଦ ହୋଇଯିବ ।
ଯଦି ବ୍ୟବହାର କରୁ ନ ଥିବା ନମ୍ବର ଆଉ କାହାକୁ ଦିଆଯାଇଥିବ, ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ତୁରନ୍ତ କରନ୍ତୁ ଏହି କାମ
ବ୍ୟାଙ୍କ୍ ଆକାଉଣ୍ଟ ସହିତ ଜଡ଼ିତ ମୋବାଇଲ୍ ନମ୍ବରକୁ ତୁରନ୍ତ ସକ୍ରିୟ ବା ଆକ୍ଟିଭ୍ କରନ୍ତୁ ।
ବ୍ୟାଙ୍କରେ ଦିଆଯାଇଥିବା ମୋବାଇଲ୍ ନମ୍ବରକୁ ଅପଡେଟ୍ କରନ୍ତୁ ।
ଏପ୍ରିଲ ୧ ପୂର୍ବରୁ ୟୁପିଆଇଡି ସହିତ ଜଡ଼ିତ ନମ୍ବର ନିଷ୍କ୍ରିୟ ଥିଲେ, ନୂତନ ନମ୍ବର ନେଇ ଅପଡେଟ୍ କରିପାରିବେ ।