ନୂଆଦିଲ୍ଲୀ: ଭାରତର ୭୫ ବର୍ଷର ଇତିହାସରେ ଏକ ଐତିହାସିକ ନିଷ୍ପିତି ନେଇଛନ୍ତି ସୁପ୍ରିମକୋର୍ଟ । ପ୍ରଥମଥର ପାଇଁ ଷ୍ଟାଫ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି କୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ ନେତୃତ୍ୱରେ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ଲାଗୁ ହେବ। ଜୁନ୍ ୨୩ରୁ ଏହାକୁ ରୋଷ୍ଟର ଭିତ୍ତିରେ ରିଜର୍ଭେସନ ଲାଗୁ ହୋଇଛି। ଏହା ଅନୁସାରେ ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି) ପ୍ରାର୍ଥୀଙ୍କୁ ସୁପ୍ରିମେକୋର୍ଟରେ ଅଣନ୍ୟାୟିକ ପଦରେ ନିଯୁକ୍ତି ଏବଂ ପଦନ୍ନୋତିରେ ସଂରକ୍ଷଣ ଲାଭ ମିଳିବ ।
ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇଙ୍କ କାର୍ଯ୍ୟକାଳରେ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଜଷ୍ଟିସ ଗଭାଇ ନିଜେ ଅନୁସୂଚିତ ଜାତି ବର୍ଗର ଏବଂ ସାମାଜିକ ବୈଷମ୍ୟକୁ ନିକଟରୁ ଦେଖିଛନ୍ତି। ସେଥିପାଇଁ ସଂରକ୍ଷଣ ଲାଗୁ ଦିଗରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦି ଅନ୍ୟ ସରକାରୀ ସଂସ୍ଥା ଏବଂ ଅନେକ ଉଚ୍ଚ ନ୍ୟାୟଳୟରେ ଏସଟି/ଏସସି ସଂରକ୍ଷଣ ପୂର୍ବରୁ ଲାଗୁ ସରିଛି, ତେବେ ଏଥିରୁ ସୁପ୍ରିମକୋର୍ଟ କାହିଁକି ବାଦ୍ ପଡିବ ବୋଲି ସିଜେଆଇ କହିଛନ୍ତିି । ଏହି ନୀତି ଦ୍ୱାରା ଏବେ ସୁପ୍ରିମକୋର୍ଟରେ କର୍ମଚାରୀଙ୍କ ମଧ୍ୟରେ ବିବିଧତା ରହିବ ।
ଏପର୍ଯ୍ୟନ୍ତ ମୋଟ କର୍ମଚାରୀଙ୍କ ସଂଖ୍ୟାରେ ସଂରକ୍ଷଣ ଦିଆଯାଉଥିଲା। ସୁପ୍ରିମକୋର୍ଟ ୨୮ ବର୍ଷ ପରେ ୨ ଜୁଲାଇ ୧୯୯୭ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରକୁ କାର୍ଯ୍ୟକାରୀ କରିଛି। ଏହି ସିଷ୍ଟମ ଲାଗୁ ହେବା ପରେ, ସୁପ୍ରିମକୋର୍ଟରେ କର୍ମଚାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦୋନ୍ନତିରେ ୧୫ ପ୍ରତିଶତ ପଦବୀ ଅନୁସୂଚିତ ଜାତି ବର୍ଗ ପାଇଁ ଏବଂ ୭.୫ ପ୍ରତିଶତ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିବ। ଏହି ସିଷ୍ଟମ ୨୩ ଜୁନ ୨୦୨୫ ରୁ କାର୍ଯ୍ୟକାରୀ ହୋଇଛି। ଏଠାରେ ଏହା ସ୍ପଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ସଂରକ୍ଷଣ ସିଷ୍ଟମ କୋର୍ଟ କର୍ମଚାରୀ ଏବଂ ରେଜିଷ୍ଟ୍ରାର, କୋର୍ଟ ଆସିଷ୍ଟାଣ୍ଟ, କୋର୍ଟ ଆଟେଣ୍ଡାଣ୍ଟ, ଲାଇବ୍ରେରିଆନ ଭଳି ଅଧିକାରୀଙ୍କ ପଦବୀ ପାଇଁ। ଏହା ବିଚାରପତିଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ।