ନୂଆଦିଲ୍ଲୀ: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଲକାତା ହାଇକୋର୍ଟଙ୍କ ବିରୁଦ୍ଧରେ ସେ ଗୁହାରୀ ଜଣାଇଛନ୍ତି । ଦୁର୍ନୀତି ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କ ପକ୍ଷର ଶୁଣାଣି କରିନାହାଁନ୍ତି ବୋଲି ସନ୍ଦୀପ ଘୋଷଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଦୁର୍ନୀତି ଅଭିଯୋଗ ସହିତ ଡାକ୍ତରଖାନାରେ ହୋଇଥିବା ବଳାତ୍କାର ଘଟଣାକୁ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ ଘୋଷ ଦାବି କରିଛନ୍ତି ।
ଅଗଷ୍ଟ ୨୩ ରେ, କଲିକତା ହାଇକୋର୍ଟ ଆର. ଜି କର ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାର ତଦନ୍ତକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ରୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ସନ୍ଦୀପ ଘୋଷଙ୍କୁ ସେପ୍ଟେମ୍ବର ୩, ମଙ୍ଗଳବାରରେ ୮ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଥିଲା। ଆସନ୍ତା ସେପ୍ଟେମ୍ବର ୬ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।
ସନ୍ଦୀପ ଘୋଷଙ୍କ ବିରୋଧରେ ସିବିଆଇ ଦୁଇଟି ପୃଥକ ମାମଲା ରୁଜୁ କରିଛି । ସେଥିମଧ୍ୟରୁ ଅଗଷ୍ଟ ୯ ରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା । ଦ୍ୱିତୀୟ ମାମଲା ହେଉଛି ଡାକ୍ତରଖାନାରେ ଆର୍ଥିକ ଅନିୟମିତତା। ଯେଉଁଥିରେ ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣାରେ ସିବିଆଇକୁ ସେପ୍ଟେମ୍ବର ୫ ଅର୍ଥାତ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏକ 'ଷ୍ଟାଟସ୍ ରିପୋର୍ଟ' ଦାଖଲ କରିବାକୁ ପଡିବ ।
ତେବେ ସନ୍ଦୀପଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ସେମାନେ ହେଲେ ଅଫସର ଅଲୀ, ବିପ୍ଳବ ସିଂଘା ଓ ସୁମନ ହଜାରା । ଏମାନଙ୍କୁ ମଧ୍ୟ ସିବିଆଇ ଘନ ଘନ ଜେରା କରୁଛି ।