ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ଡେଲିଭରି ବୟ ହୋଇଛନ୍ତି । ଶ୍ରୀଯୁକ୍ତ ଚଢ଼ା ଅର୍ଡର୍ ହୋଇଥିବା ଜିନିଷ ନେଇ ନିଜେ ଗ୍ରାହକଙ୍କ ପାଖରେ ପହଁଚାଇଛନ୍ତି । ଯାହାର ଭିଡ଼ିଓ ସେ ନିଜେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।
ବିଭିନ୍ନ କମ୍ପାନୀରେ କାମ କରୁଥିବା ଡେଲିଭରି ବୟଙ୍କ ସମସ୍ୟାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଥିବା ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ଦିନକ ପାଇଁ ସେମାନଙ୍କ ଜୀବନ ବଞ୍ଚିବାକୁ ଚେଷ୍ଟା କରିଛନ୍ତି । ହାଡ଼ଭଙ୍ଗା ଶୀତ ରାତିରେ କିପରି ଡେଲିଭରି ବୟ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ତାହା ଜାଣିବାକୁ ନିଜେ ଡେଲିଭରି ବୟ ହୋଇଛନ୍ତି ସାଂସଦ ଶ୍ରୀଯୁକ୍ତ ଚଢ଼ା । ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଏକ ଭିଡ଼ିଓରେ ଦେଖାଯାଇଛି ଯେ ସାଂସଦ ନିଜେ ବ୍ଲିଙ୍କିଟ୍ କମ୍ପାନୀର ଡେଲିଭରି ବୟ ଭାବେ କାମ କରିଛନ୍ତି । ସେ ରାତିରେ ଡେଲିଭରି ବୟଙ୍କ ଡ୍ରେସ୍ ପିନ୍ଧି ଶୀତ ରାତିରେ ବାଇକରେ ଯାଇ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇଛନ୍ତି ।
ଚଢ଼ା ଏହା ମଧ୍ୟ କହିଛନ୍ତି ଏଥିରେ ଯୋଡ଼ି ହୋଇ ରୁହନ୍ତୁ । କାରଣ ଭିଡ଼ିଓର କିଛି ଅଂଶ ସାମ୍ନାକୁ ଆସିଛି । ସମ୍ପୂର୍ଣ୍ଣ ଭିଡ଼ିଓ ଆଗାମୀ ଦିନରେ ଆସିପାରେ ବୋଲି ଆଶା କରାଯାଉଛି ।
ଗିଗ୍ ୱାର୍କ ଏବଂ ଡେଲିଭରି ବୟଙ୍କ ସମସ୍ୟାକୁ ନେଇ ଆପ୍ ସାଂସଦ ସଂସଦରେ ପ୍ରସଙ୍ଗ ଉଠାଇଥିଲେ । ମାତ୍ର ୧୦ ମିନିଟରେ ସାମଗ୍ରୀ ପହଁଚାଇବା, ବିଳମ୍ବ ହେଲେ ଗ୍ରାହକଙ୍କଠାରୁ ଗାଳି ଶୁଣିବା, ରାତିରେ କାମ କରିବା ଏବଂ ବୀମା ଆଦିକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ନିର୍ଦ୍ଧିଷ୍ଟ ଆଇନ ଆଣିବା ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ । ଗତ କିଛି ଦିନ ହେବ ସାଂସଦ ଶ୍ରୀଯୁକ୍ତ ଚଢ଼ା ନିଜେ ଡେଲିଭରି ବୟଙ୍କୁ ଭେଟିବା ସହିତ ସେମାନଙ୍କ ସମସ୍ୟାକୁ ନେଇ ଗଭୀର ଆଲୋଚନା ମଧ୍ୟ କରୁଛନ୍ତି ।