ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ମିଳିଛି ନୂଆ ଦାୟିତ୍ୱ । ରାଜୀବ ଘାଇ ସ୍ଥଳ ସେନାର ଉପମୁଖ୍ୟ ହୋଇଛନ୍ତି । ଏହା ସହିତ ସେ ସୈନ୍ୟ ଅଭିଯାନର ମହାନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ । ବର୍ତ୍ତମାନ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସେନା ମୁଖ୍ୟ ଅଛନ୍ତି ।
ଡିଜିଏମଓ ରାଜୀବ ଘାଇ ଅପରେସନ ସିନ୍ଦୂରର ଘଟଣାବଳୀକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରୁଥିଲେ । ବାୟୁସେନା ଏବଂ ନୌସେନା ପ୍ରତିପକ୍ଷଙ୍କ ସହିତ ସମ୍ମିଳିତଭାବେ ମେ ୧୧ ଏବଂ ୧୨ ତାରିଖରେ ଦୁଇଥର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ନୂତନ ଭୂମିକାରେ ତାଙ୍କ ଅଧୀନରେ ଆସୁଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ସାମରିକ ଅଭିଯାନ, ସାମରିକ ଗୁପ୍ତଚର, ରଣନୈତିକ ଯୋଜନା ଏବଂ ସୂଚନା ଯୁଦ୍ଧ ଅନ୍ତର୍ଭୁକ୍ତ ବୋଲି ଅଧିକାରୀମାନେ ନାମ ପ୍ରକାଶ ନ କରି କହିଛନ୍ତି । ଗତ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘାଇଙ୍କୁ ଯୁଦ୍ଧ ସମୟରେ ଉଲ୍ଲେଖନୀୟ ସେବା ପାଇଁ ଉତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରିଥିଲେ । ଯାହା ଶ୍ରୀନଗର-ସ୍ଥିତ ମୁଖ୍ୟାଳୟ ୧୫ କୋର୍ କମାଣ୍ଡର ଭାବରେ ତାଙ୍କ କାର୍ଯ୍ୟର ସ୍ୱୀକୃତି ଥିଲା।