ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ପୁଣି ଚର୍ଚ୍ଚାରେ ଇସ୍କନ୍। ବାରମ୍ବାର ବିଦେଶରେ ପାରମ୍ପରିକ ତିଥି ବାହାରେ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷକରି ପ୍ରବାସୀ ଓଡ଼ିଆମାନେ ଏହାକୁ ନେଇ କଡ଼ା ବିରୋଧ କରିଛନ୍ତି। ନିର୍ଦ୍ଧାରିତ ତିଥି ପୂର୍ବରୁ ଏବେ ଦକ୍ଷିଣ ଆଫ୍ରିକାରେ ରଥଯାତ୍ରା ଆୟୋଜନ କରାଯାଇଥିବା ଖବର ପରେ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁସାରେ, ଇସ୍କନ୍ ସାଉଥ ଆଫ୍ରିକା ପକ୍ଷରୁ ମେ’ ୧୫ ଓ ୧୬ ତାରିଖରେ ଜୋହାନସବର୍ଗରେ ଦୁଇଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ଏହା ପୂର୍ବରୁ ମେ’ ୨ ତାରିଖରେ ଡର୍ବାନ ସହରରେ ମଧ୍ୟ ଏଭଳି ରଥଯାତ୍ରା ହୋଇଥିବା ଖବର ମିଳିଥିଲା। ଏହି ଘଟଣା ପରେ ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ପୁଣି ଚର୍ଚ୍ଚା ଜୋର ଧରିଛି।
ଭକ୍ତମାନଙ୍କ ଅଭିଯୋଗ ହେଉଛି, ନିର୍ଦ୍ଧାରିତ ତିଥି ପୂର୍ବରୁ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବା ପରମ୍ପରା ବିରୋଧୀ। ଏହା ଦ୍ୱାରା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଲାଗୁଛି ବୋଲି ସେମାନେ କହିଛନ୍ତି।
ରିପୋର୍ଟ ଅନୁସାରେ, ୨୦୨୬ ମସିହାରେ ବିଶ୍ୱର ୮୦ଟି ସ୍ଥାନରେ ରଥଯାତ୍ରା ଏବଂ ୧୦ଟି ସ୍ଥାନରେ ସ୍ନାନଯାତ୍ରା ଆୟୋଜନ କରିବାକୁ ଇସ୍କନ୍ ପ୍ରସ୍ତୁତି କରୁଛି। ଆମେରିକାର ଫ୍ଲୋରିଡା ଓ ଟେକ୍ସାସ୍, ଲଣ୍ଡନ, ଅଷ୍ଟ୍ରେଲିଆ, ବ୍ରିସବେନ୍ ଓ କାନାଡାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ସୂଚନା ମିଳିଛି।
ଏବର୍ଷ ସ୍ନାନଯାତ୍ରା ଜୁନ୍ ୨୯ରେ ଏବଂ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ରେ ପାଳିତ ହେବ। ତେବେ ଏହି ବିବାଦକୁ ନେଇ ଇସ୍କନ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।