ନୂଆଦିଲ୍ଲୀ: ସଂସଦ ବଜେଟ୍ ଅଧିବେଶନରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବାସନ ବିଲ୍ ଆଗତ ହୋଇଛି । ଗୁରୁବାର ଲୋକସଭାରେ ପ୍ରବାସନ ଏବଂ ବିଦେଶୀ ବିଧେୟକ (Immigration and Foreigners Bill) ପାରିତ ହୋଇଯାଇଛି ।
ଏହି ବିଲର ଗୁରୁତ୍ୱାରୋପ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତର ବିକାଶ ପାଇଁ ପ୍ରବାସୀ ଆସୁଛନ୍ତି, ଆମେ ସେମାନଙ୍କୁ ସ୍ୱାଗତ କରୁଛୁ। ଶିକ୍ଷା, ବ୍ୟବସାୟ ଏବଂ ଗବେଷଣା ପାଇଁ ଦେଶକୁ ଆସୁଥିବା ଲୋକଙ୍କୁ ଆମେ ସ୍ୱାଗତ କରୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟ ହେଉଛି ଆମ ଦେଶ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବା ଉଚିତ। ସେଥିପାଇଁ ଆମେ ଅନେକ ପୁରୁଣା ଆଇନକୁ ଉଚ୍ଛେଦ କରିଛୁ ।
ପ୍ରବାସନ ଏକ ଭିନ୍ନ ସମସ୍ୟା ନୁହେଁ । ଦେଶର ଅନେକ ସମସ୍ୟା ଏହା ସହିତ ଜଡ଼ିତ ରହିଛି । ଆମ ଦେଶକୁ କିଏ ଆସୁଛି, କାହିଁକି ଆସୁଛି, କେଉଁ ଉଦ୍ଦେଶ୍ୟରେ ଆସୁଛନ୍ତି ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ । ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ, ଦେଶର ସୀମାରେ କିଏ ପ୍ରବେଶ କରୁଛି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଦେଶର ବିକାଶବି ସୁନିଶ୍ଚିତ କରିପାରିବୁ । ଆମେ ଦେଶର ସୁରକ୍ଷାକୁ ବିପଦରେ ପକାଇଥିବା ଲୋକଙ୍କ ଉପରେ ମଧ୍ୟ କଡ଼ା ନଜର ରଖିବୁ । ଏହି ଦେଶ କୌଣସି ଧର୍ମଶାଳା ନୁହେଁ ଯେଉଁଠାରେ ଯେକେହି ଯେତେବେଳେ ଚାହିଁବେ ଏବଂ ଯେକୌଣସି ଉଦ୍ଦେଶ୍ୟରେ ରହିପାରିବେ ବୋଲି କହିଛନ୍ତି ଶାହ ।